ବିଜେଡ଼ିରେ ଯୋଗଦେଲେ କୋରେଇ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଆଲେକଜାଣ୍ଡର ଦାସ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଅନ୍ତର୍ଗତ କୋରେଇ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଆଲେକଜାଣ୍ଡର ଦାସଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ଯୁବ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ଧଳଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଆଲେକଜାଣ୍ଡର ଦାସ ଓ ଶତାଧିକ ବିଜେପି କର୍ମୀଙ୍କୁ ଡକ୍ଟର ପାତ୍ର ଓ ଶ୍ରୀ ଧଳ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି କୋରେଇ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ଧଳ କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ଆଲେକଜାଣ୍ଡର ଦାସ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଦୀର୍ଘ ୧୨ ବର୍ଷ ହେଲା ବିଜେପି ପାଇଁ କାମ କରୁଥିଲି। ହେଲେ ଦୁଃଖର ବିଷୟ ଦଳ ମୋତେ ଭୁଲିଗଲା। ରାତି ଅଧିଆ କିଛି ନେତାଙ୍କୁ ଦଳରେ ସାମିଲ କରି ଟିକେଟ ଦିଆଗଲା । ଶୃଙ୍ଖଳିତ ଭାବେ କାମ କଲା ପରେ ବି ଦଳରେ ମୋତେ ଅଣଦେଖା କରାଗଲା। କୋରେଇରେ ବିପୁଳ ଭୋଟରେ ବିଜୟୀ ହେବ ବିଜେଡ଼ି। ବାତ୍ୟା ମୁକାବିଲାରେ ଓଡ଼ିଶା ସାରା ବିଶ୍ୱରେ ପ୍ରଶଂସିତ। ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଓ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।

Related Articles

Leave a Reply

Your email address will not be published.

Back to top button