ପଦ୍ମ ଧରିଲେ ଅନୁଭବ

ଭୁବନେଶ୍ୱର: ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ବିଜେଡି ଛାଡ଼ିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଶେଷରେ ପଦ୍ମ ପୋଖରୀକୁ ଡେଇଛନ୍ତି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଭବ ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ବହୁ ବରିଷ୍ଠ ନେତା ତାଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ ପୂର୍ବକ ଦଳକୁ ସ୍ୱାଗତ କରିଛନ୍ତି । ତେବେ ଅନୁଭବ ବିଜେପିରେ ସାମିଲ ହେଲା ପରେ ସେ ଓଡ଼ିଶାର କେଉଁ ଆସନରୁ ଲଢିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।  ପ୍ରକାଶ ଯେ ଗତ ୩୦ ତାରିଖ ଦିନ ଅନୁଭବ ବିଜେଡି ଇସ୍ତଫା ଦେଇଥିଲେ । ବିଜେଡି ସୁପ୍ରିମୋଙ୍କ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ନିଜର ଇସ୍ତଫା ପତ୍ର ପଠାଇଥିଲେ । ନିଜ ଇସ୍ତଫାପତ୍ରରେ ଅନୁଭବ ମହାନ୍ତି ଲେଖିଥିଲେ, ୪ ବର୍ଷ ହେଲା ମୁଁ ଅଣନିଶ୍ୱାସୀ ହୋଇ ପଡ଼ିଥିଲି । ମୋ’ ବାପା ଓ ବଡ ବାପାଙ୍କ ବିୟୋଗ ପରେ ମୁଁ ମୋର ନୀତି, ଆଦର୍ଶ, ଉଚ୍ଚାଭିଳାଷକୁ ନେଇ ଗଭୀର ଆତ୍ମସମୀକ୍ଷା କରିଥିଲି । ଏହା ପରେ ମୁଁ ନିଷ୍ପତ୍ତି ନେଇଥିଲି, ରାଜନୀତି ମୁଁ କେବେ ଛାଡିବି ନାହିଁ । ଅନୁଭବ ଆହୁରି ଲେଖିଥିଲେ, ମୋ ଜନ୍ମଭୂମିର ସେବାରୁ ଦୂରେଇ ଯିବିନାହିଁ । ସବୁ କ୍ଷେତ୍ରରେ ମୋ ଓଡିଶାବାସୀଙ୍କ ପ୍ରତିନିଧିତ୍ୱ କରିବି । ଏଥିପାଇଁ ବିଜେଡି ଛାଡିବା ମୋ ପାଇଁ ଜରୁରୀ ହୋଇପଡିଲା । କେବଳ ବ୍ୟକ୍ତିଗତ ଭାବେ ନୁହେଁ, ମୋ ଜନ୍ମମାଟି ମଧ୍ୟ ଏହି ପଦକ୍ଷେପ ନେବାର ଆବଶ୍ୟକତା ପଡିଲା ବୋଲି ନବୀନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଅନୁଭବ ମହାନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି । ତା’ ପୂର୍ବରୁ ସେ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ ।

Related Articles

Leave a Reply

Your email address will not be published.

Back to top button