ଶପଥ ନେଲେ ୫୫ ନୂତନ ସିଭିଲ ଜଜ୍‌

ଭୁବନେଶ୍ବର: ଓଡ଼ିଶା ଜୁଡିସିଅଲ ଏକାଡେମୀ ପରିସରସ୍ଥ ଗତିକୃଷ୍ଣ ମିଶ୍ର ଅଡିଟୋରିୟମଠାରେ ୨୦୨୨ ବ୍ୟାଚ୍‌ରେ ନିଯୁକ୍ତି ପାଇଥିବା ୫୫ ଜଣ ନୂତନ ସିଭିଲ୍ ଜଜ(ଜୁନିୟର ଡିଭିଜନ)ଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜୁଡିସିଆଲ ଏକାଡେମୀର ପାଟ୍ରୋନ୍‌-ଇନ୍‌-ଚିଫ୍ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଯୋଗଦେଇ ନୂତନ ଜଜ୍‌ମାନଙ୍କୁ ଶପଥ ପାଠ କରାଇଥିଲେ । ଏହି ଅବସରରେ ମୁଖ୍ୟ ବିଚାରପତି କହିଥିଲେ ଯେ ବିଚାରପତି ହେବା ସାଧାରଣ କାମ ନୁହେଁ, ଶିକ୍ଷାଗ୍ରହଣର ଏହା ଏକ ନିରବଚ୍ଛିନ୍ନ ପ୍ରକ୍ରିୟା । କୋର୍ଟର ବିଚାର କାର୍ଯ୍ୟରେ ଥିବା ବେଳେ ବ୍ୟକ୍ତିଗତ ଜୀବନ ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ । ଜଣେ ବିଚାରପତି ହେବା ପାଇଁ ଶାରୀରିକ, ମାନସିକ ଓ ଭାବନାତ୍ମକ ସୁସ୍ଥତା ରହିବା ଦରକାର । ବିଚାର ବ୍ୟବସ୍ଥାର ନୈତିକତାକୁ ବଜାୟ ରଖିବା ଉଚିତ ବୋଲି ମୁଖ୍ୟ ବିଚାରପତି କହିଛନ୍ତି । ଜୁଡିସିଆଲ ଏକାଡେମୀ ସଦସ୍ୟ ତଥା ହାଇକୋର୍ଟର ବିଚାରପତି କୃଷ୍ଣ ରାମ ମହାପାତ୍ର ଜୁଡିସିଆଲ ଏକାଡେମୀରେ ତାଲିମ ଗ୍ରହଣ ଉପରେ ଗୁରୁତ୍ୱାରୋପ କରି ଏହାକୁ ଗୁରୁକୁଳ ଭାବେ ଅଭିହିତ କରିଥିଲେ । ନୂତନ ବିଚାରପତିମାନଙ୍କ କ୍ୟାରିୟର ଗଠନ ଦିଗରେ ଜୁଡିସିଆଲ ଏକାଡେମୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ସେ କହିଥିଲେ । ଜୁଡିସିଆଲ ଏକାଡେମୀର ସଦସ୍ୟ ତଥା ହାଇକୋର୍ଟର ବିଚାରପତି ସଂଜୀବ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇ ନୂତନ ବିଚାରପତିମାନଙ୍କୁ ଶୁଭେଚ୍ଛା ଜଣାଇ ଥିଲେ । ଏକାଡେମୀର ନିର୍ଦ୍ଦେଶକ ବିଦ୍ୟୁତ୍ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ । ଏଥିରେ ହାଇକୋର୍ଟର ବିଚାରପତିଗଣ, ହାଇକୋର୍ଟ ରେଜିଷ୍ଟ୍ରିର ଅଧିକାରୀଗଣଙ୍କ ସମେତ ଅତିଥି ଓ ନୂତନ ସିଭିଲ୍ ଜଜ୍‌ମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ । ଅତିରିକ୍ତ ନିର୍ଦ୍ଦେଶକ ବଦ୍ରିନାରାୟଣ ନନ୍ଦ, ଉପନିର୍ଦ୍ଦେଶକ ସ୍ୱପ୍ନା ସାଗରିକା ମିଶ୍ର, ସହକାରୀ ନିର୍ଦ୍ଦେଶକ ମାନସ ରଞ୍ଜନ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related Articles

Leave a Reply

Your email address will not be published.

Back to top button