ବିଜେପିରେ ଯୋଗ ଦେଲେ ପୂର୍ବତନ ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୌରିଆ

ନୂଆଦିଲ୍ଲୀ: ପୂର୍ବତନ ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୌରିଆ ଆଜି ବିଜେପିରେ ଯୋଗ ଦେଇଥିଲେ। ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ଏୟାର ଚିଫ୍ ମାର୍ଶଲ (ଅବସରପ୍ରାପ୍ତ) ଆର.କେ.ଏସ ଭଦୌରିଆ ବିଜେପି ରେ ଯୋଗଦେଇଛନ୍ତି। ଶ୍ରୀ ଭଦୌରିଆ ଏଭଳି ସମୟରେ ବିଜେପି ରେ ଯୋଗଦେଇଛନ୍ତି, ଯେତେବେଳେ ଆସନ୍ତା ମାସରୁ ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଆରମ୍ଭ ହେବ। ଆରକେଏସ୍ ଭଦୌରିଆ ସେପ୍ଟେମ୍ବର ୨୦୨୧ରେ ବାୟୁସେନା ମୁଖ୍ୟ ପଦରୁ ଅବସର ନେଇଥିଲେ। ବାୟୁସେନା ମାର୍ଶଲ ବିବେକ ରାମ ଚୌଧୁରୀଙ୍କୁ ତାଙ୍କ ସ୍ଥାନରେ ବାୟୁସେନାର ମୁଖ୍ୟ କରାଯାଇଥିଲା। ଶ୍ରୀ ଭଦୌରିଆ ସେପ୍ଟେମ୍ବର ୩୦ ତାରିଖ ୨୦୧୯ରୁ ସେପ୍ଟେମ୍ବର ୩୦ ତାରିଖ ୨୦୨୧ ପର୍ଯ୍ୟନ୍ତ ଦେଶର ବାୟୁସେନା ମୁଖ୍ୟ ଥିଲେ। ସେ ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାର ବାହ ତହସିଲର ବାସିନ୍ଦା। ସେ ରାଫେଲ ଜେଟକୁ ଭାରତ ଆଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ବିମାନ ପାଇଁ ଫ୍ରାନ୍ସ ସହିତ ବୁଝାମଣା କରୁଥିବା ଦଳର ନେତୃତ୍ୱ ନେଉଥିଲେ। ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଉତ୍ତରପ୍ରଦେଶର ଗାଜିଆବାଦ ଲୋକସଭା ଆସନରୁ ବିଜେପି ପୂର୍ବତନ ବାୟୁସେନା ମୁଖ୍ୟ ଆର.କେ.ଏସ ଭଦୌରିଆଙ୍କୁ ଟିକେଟ ମିଳିପାରେ। ବର୍ତ୍ତମାନ ଏହି ଆସନରୁ ଜେନେରାଲ ଭି.କେ ସିଂ ହେଉଛନ୍ତି ବିଜେପି ସାଂସଦ। ସେ ୨୦୧୪ ଏବଂ ୨୦୧୯ ରେ ଏହି ଆସନରୁ ନିର୍ବାଚନ ଜିତିଛନ୍ତି। ଗାଜିଆବାଦରୁ ପ୍ରାର୍ଥୀଙ୍କ ନାମ ଏପର୍ଯ୍ୟନ୍ତ ବିଜେପି ଦ୍ଵାରା ପ୍ରକାଶିତ ଚାରିଟି ତାଲିକାରେ ଘୋଷଣା କରାଯାଇ ନାହିଁ। ଏଭଳି ପରିସ୍ଥିତିରେ ଆରକେଏସ୍ ଭଦୌରିଆଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଯାଇପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି।

Related Articles

Leave a Reply

Your email address will not be published.

Back to top button