ରାଷ୍ଟ୍ରପତିଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲା କେରଳ

ନୂଆଦିଲ୍ଲୀ: କେରଳ ବିଧାନସଭାରେ ଗୃହୀତ ୪ ବିଲ୍‌କୁ ମଞ୍ଜୁରୀ ନ ଦେଇ ପକାଇରଖିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଛନ୍ତି। କେରଳର ସିପିଆଇ(ଏମ୍‌) ନେତୃତ୍ୱାଧୀନ ଏଲ୍‌ଡିଏଫ୍‌ ସରକାର ଏହି ମାମଲାରେ କେନ୍ଦ୍ର ସରକାର, ରାଷ୍ଟ୍ରପତିଙ୍କ ସଚିବ, କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନ୍‌ ଏବଂ ତାଙ୍କ ଅତିରିକ୍ତ ସଚିବଙ୍କୁ ପକ୍ଷଭୁକ୍ତ କରିଛନ୍ତି। ଆଇନଜୀବୀ ସି.କେ. ଶଶୀଙ୍କ ଜରିଆରେ ଦାଖଲ ହୋଇଥିବା ପିଟିଶନରେ କୁହାଯାଇଛି, କେରଳ ରାଜ୍ୟପାଳ ଖାନ୍‌ ୭ଟି ବିଲ୍‌କୁ ଅଟକାଇ ରଖିଛନ୍ତି। ୭ ବିଲ୍‌ରୁ କୌଣସି ଗୋଟିଏ ବି କେନ୍ଦ୍ର-ରାଜ୍ୟ ସମ୍ପର୍କ ସହ ଜଡ଼ିତ ନୁହେଁ। ରାଜ୍ୟପାଳ ବିଲ୍‌ଗୁଡ଼ିକୁ ୨ ବର୍ଷ ହେଲା ଅଟକାଇ ରଖିଥିବାରୁ ରାଜ୍ୟ ବିଧାନସଭା କାର୍ୟ୍ୟଧାରାକୁ ବିକୃତ କରିଛି ଏବଂ ଏହାର ଉପସ୍ଥିତି ପ୍ରଭାବହୀନ ହୋଇପଡ଼ିଛି। ସେଥିପାଇଁ ରାଜ୍ୟପାଳଙ୍କୁ ବେଆଇନ ଘୋଷଣା କରାଯାଉ ବୋଲି କେରଳ ସରକାର ପିଟିଶନରେ ନିବେଦନ କରିଛନ୍ତି। ବିଲ୍‌ଗୁଡ଼ିକ ଜନସ୍ବାର୍ଥ ସମ୍ବଳିତ, ଯାହା କାର୍ୟ୍ୟକାରୀ ହୋଇଥିଲେ ଲୋକଙ୍କ ମଙ୍ଗଳ ହୋଇଥାନ୍ତା। ତେବେ ରାଜ୍ୟପାଳ ସେଗୁଡ଼ିକୁ ଚାପିରଖି ଅପ୍ରଭାବୀ କରିଦେଇଛନ୍ତି। ଅନୁଚ୍ଛେଦ ୨୦୦ର ବ୍ୟବସ୍ଥା ଅନୁଯାୟୀ ଉକ୍ତ ବିଲ୍‌ଗୁଡ଼ିକ ଯଥାସମ୍ଭବ ଶୀଘ୍ର ମଞ୍ଜୁରୀ ପାଇବା ଆବଶ୍ୟକ। ୭ ବିଲ୍‌ ମଧ୍ୟରୁ ରାଷ୍ଟ୍ରପତିଙ୍କ ପାଖରେ ୪ଟି ବିଲ୍‌ ପଡ଼ିରହିଥିବା ଗତ ଫେବୃଆରୀ ୨୩ ଏବଂ ୨୯ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଜଣାଇଥିଲା। ସେହି ବିଲ୍‌ଗୁଡ଼ିକ ହେଲା, ବିଶ୍ୱବିଦ୍ୟାଳୟ ଆଇନ(ସଂଶୋଧନ)(୨ ନମ୍ବର) ବିଲ୍‌, ୨୦୨୧, କେରଳ କୋ-ଅପରେଟିଭ୍‌ ସୋସାଇଟିଜ୍‌ (ସଂଶୋଧନ) ବିଲ୍‌, ୨୦୨୨, ବିଶ୍‌ବିଦ୍ୟାଳୟ ଆଇନ (ସଂଶୋଧନ) ବିଲ୍‌, ୨୦୨୨ ଏବଂ ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧନ) (୩ ନମ୍ବର) ବିଲ୍‌, ୨୦୨୨। କୌଣସିି କାରଣ ନ ଦର୍ଶାଇ ବିଲ୍‌ଗୁଡ଼ିକୁ ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ ନ କରିବାକୁ ଅସାମ୍ବିଧାନିକ ଘୋଷଣା କରାଯାଉ ବୋଲି ପିଟିଶନରେ ନିବେଦନ କରାଯାଇଛି।

Related Articles

Leave a Reply

Your email address will not be published.

Back to top button