ଅମିତ ଶାହାଙ୍କୁ ଭେଟିଲେ ରାଜ୍ୟପାଳ
ଭୁବନେଶ୍ୱର: ଓଡ଼ିଶାରେ ମେଣ୍ଟ ଚର୍ଚ୍ଚା ଭିତରେ ରାଜ୍ୟପାଳ ରଘୁବର ଦାସ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଅମିତ ଶାହଙ୍କ ଦିଲ୍ଲୀସ୍ଥିତ ବାସଭବନରେ ରାଜ୍ୟପାଳ ଶ୍ରୀ ଦାସ ତାଙ୍କୁ ଭେଟିଛନ୍ତି । ଏନେଇ ରାଜ୍ୟପାଳ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ତେବେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ରାଜ୍ୟପାଳ କହିଛନ୍ତି । ପ୍ରକାଶ ଯେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ନା ନାହିଁ? ସେନେଇ ସସ୍ପେନ୍ସ ଜାରି ରହିଛି। ଯଦି ମେଣ୍ଟ ହୁଏ ତେବେ କିଏ କେତେ ଆସନ ପାଇବ। ଗତ କିଛିଦିନ ଧରି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହାରି ଭିତରେ ରାଜ୍ୟପାଳ ରଘୁବର ଦାସ ଓ ଅମିତ ଶାହାଙ୍କ ଭେଟଘାଟ ହେବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରଘୁବର ଦାସ ରାଜ୍ୟପାଳଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଭୁବନେଶ୍ୱରରେ କମ, ଭୁବନେଶ୍ୱର ବାହାରେ ବୁଲିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସହ ମିଶିବା ସହ ଲୋକଙ୍କ ଅଭିଯୋଗମାନ ଗ୍ରହଣ କରିଛନ୍ତି । ଏପରିକି ଅନେକ ସ୍ଥାନରେ ଅନ ଦ ସ୍ପଷ୍ଟ ସମସ୍ୟାର ସମାଧାନ କରିଛନ୍ତି । ତେଣୁ ରାଜ୍ୟର ରାଜନୈତିକ ପରିସ୍ଥିତି ସମ୍ପର୍କରେ ତାଙ୍କୁ ବେଶଭଲଭାବେ ଜଣା ।