ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରେ ଚଢାଉ, ଜବତ ହେଲା ମାଦକ ଦ୍ରବ୍ୟ

ଭୁବନେଶ୍ବର: ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ଏକକାଳୀନ ଲୋକସଭା ଓ ବିଧନାସଭା ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସାରା ରାଜ୍ୟରେ ବିଭିନ୍ନ ବିଭାଗର ଜବତକାରୀ ସଂସ୍ଥାମାନଙ୍କ ଦ୍ୱାରା ଜାନୁଆରୀ ଏକ ତାରିଖଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ ଚଢ଼ାଉ କାର୍ଯ୍ୟକ୍ରମ ଚାଲୁଛି। ଜାନୁଆରୀ ମାସ ୧ ତାରିଖଠାରୁ ଫେବୃଆରୀ ମାସ ୨୯ ତାରିଖ ଦୁଇମାସ ମଧ୍ୟରେ ଆୟକର ବିଭାଗ ଦ୍ୱାରା ୩.୬୧ କୋଟି ନଗଦ ଟଙ୍କା ଓ ୭.୮୦ କିଗ୍ରାର ମୂଲ୍ୟବାନ ଧାତୁ ଯଥା-ସୁନା, ରୂପା, ହୀରା ଇତ୍ୟାଦି ଦ୍ରବ୍ୟ, ଯାହାର ଆନୁମାନିକ ମୂଲ୍ୟ ୪.୭୩ କୋଟି ଟଙ୍କା ହେବ ଜବତ କରାଯାଇଛି। ସେହିପରି ଗତ ଦୁଇମାସ ମଧ୍ୟରେ ପ୍ରବର୍ତ୍ତନ କାର୍ଯ୍ୟାଳୟ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫୨ ଲକ୍ଷ ଟଙ୍କା ଜବତ କରାଯାଇଥିବାବେଳେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷାବଳ (ସିଆଇଏସ୍‌ଏଫ୍‌) ଦ୍ୱାରା ୧୩ ଲକ୍ଷ ଟଙ୍କା ଜବତ କରାଯାଇଛି। ରାଜ୍ୟ ପୁଲିସ ବିଭାଗ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୮ ଲକ୍ଷ ନଗଦ ଟଙ୍କା, ୨୨୪୩୯୬.୩୦ ଲିଟର ମଦ, ଯାହାର ଆନୁମାନିକ ମୂଲ୍ୟ ୫.୧୮ କୋଟି ଟଙ୍କା, ୨୪୮୨୫ କିଗ୍ରାର ମାଦକ ଦ୍ରବ୍ୟ, ଯାହାର ଆନୁମାନିକ ମୂଲ୍ୟ ୨୫.୧୭ କୋଟି ଟଙ୍କା, ୦.୨୭ କିଗ୍ରାର ମୂଲ୍ୟବାନ ଧାତୁ, ଯାହାର ମୂଲ୍ୟ ୦.୧୯ କୋଟି ଟଙ୍କା ହେବ ଜବତ କରାଯାଇଛି। ସେହିପରି ରାଜ୍ୟ ଅବକାରୀ ବିଭାଗ ଦ୍ୱାରା ସମସ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ନଗଦ ୨ ଲକ୍ଷ ଟଙ୍କା, ୪୧୨୪୦୮.୬୬ ଲିଟର ମଦ (ଯାହାର ମୂଲ୍ୟ ୮.୫୪ କୋଟି ଟଙ୍କା), ୩୭୩୩.୫୦ କି.ଗ୍ରାର ମାଦକ ଦ୍ରବ୍ୟ (ଯାହାର ମୂଲ୍ୟ ୭.୫୪ କୋଟି ଟଙ୍କା) ଜବତ କରାଯାଇଛି ଓ ରେଳବାଇ ସୁରକ୍ଷା ବଳଙ୍କ ଦ୍ୱାରା ୮୯.୧୫ ଲିଟର ମଦ, ୪୪୬.୫୧ କିଗ୍ରାର ମାଦକ ଦ୍ରବ୍ୟ (ଯାହାର ମୂଲ୍ୟ ୦.୪୧ କୋଟି ଟଙ୍କା) ଜବତ କରାଯାଇଛି। ରାଜ୍ୟ ସି.ଟି. ଓ ଜି.ଏସ୍‌.ଟି ବିଭାଗ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୬.୦୫ କୋଟି ଟଙ୍କାର ଶାଢ଼ି, ଗହଣା ଇତ୍ୟାଦି ମୂଲ୍ୟବାନ ଉପହାର ସାମଗ୍ରୀ ଜବତ କରାଯାଇଥିବାବେଳେ ଜଙ୍ଗଲ ବିଭାଗ ତରଫରୁ ୩.୮୪ କୋଟି ଟଙ୍କାର ମୂଲ୍ୟବାନ ଆସବାବପତ୍ର ଓ କାଠ ସାମଗ୍ରୀ ଜବତ କରାଯାଇଛି। ଗତ ଦୁଇମାସ ମଧ୍ୟରେ ଉପରୋକ୍ତ ଜବତକାରୀ ସଂସ୍ଥାମାନଙ୍କ ଦ୍ୱାରା ମୋଟରେ ୪.୪୬ କୋଟି ନଗଦ ଟଙ୍କା, ୬୩୬୮୯୪.୧୧ ଲିଟର ମଦ (ଯାହାର ମୂଲ୍ୟ ୧୩.୭୩ କୋଟି ଟଙ୍କା), ୨୯୦୭୮.୨୧ କିଗ୍ରାର ମାଦକ ଦ୍ରବ୍ୟ (ଯାହାର ମୂଲ୍ୟ ୩୩.୪୦ କୋଟି ଟଙ୍କା), ୮.୦୬ କିଗ୍ରାର ମୂଲ୍ୟବାନ ଧାତୁ (ଯାହାର ମୂଲ୍ୟ ୪.୯୨ କୋଟି ଟଙ୍କା) ଓ ୧୯.୮୯ କୋଟି ଟଙ୍କାର ଶାଢ଼ି, ଗହଣା ଇତ୍ୟାଦି ମୂଲ୍ୟବାନ ଉପହାର ସାମଗ୍ରୀ ଇତ୍ୟାଦି ଜବତ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

Related Articles

Leave a Reply

Your email address will not be published.

Back to top button