ନବୀନଙ୍କୁ ଭେଟିଲେ ବିଲ ଗେଟସ

ଭୁବନେଶ୍ୱର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କୁ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟସ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ଅନେକ ବିଷୟରେ ଆଲୋଚନା କରିଛନ୍ତି  । ଏହା ପୂର୍ବରୁ କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବା ସହ କୃଷି କ୍ଷେତ୍ରର ଉନ୍ନତି ପାଇଁ ରିମୋଟ ସେନ୍ସିଂ ଓ ସ୍ପେଶ୍‌ ଆପ୍ଲିକେସନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି  । ବିଲ ଆଣ୍ଡ ମାଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହାୟତାରେ ରାଜ୍ୟରେ କୃଷି ସମୀକ୍ଷା କେନ୍ଦ୍ର କାର୍ଯ୍ୟ କରୁଛି  । ସମନ୍ୱିତ ଚାଷ ପାଇଁ ଏହା ଉନ୍ନତ ଜ୍ଞାନ କୌଶଳ ବାବଦରେ ସୂଚନା ଦେଉଛି  । ଚାଷ ସମ୍ବନ୍ଧୀୟ ସମସ୍ୟା ବାବଦରେ ଏହି କେନ୍ଦ୍ର ଚାଷୀଙ୍କୁ ସହାୟତା ଯୋଗାଉଛି  । ରାଜ୍ୟରେ କୃଷିର ଉନ୍ନତି ପାଇଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ରାଜ୍ୟ ସରକାର ୨୦୧୭ରେ ଚୁକ୍ତି କରିଥିଲେ । ବୈଷୟିକ ପ୍ରଣାଳୀରେ କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିଲା  । ଫାଉଣ୍ଡେସନର ସହଯୋଗରେ ରାଜ୍ୟରେ କିଭଳି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏନେଇ ବିଲ ଗେଟସ ସମୀକ୍ଷା କରିଛନ୍ତି  । ଅପରପକ୍ଷରେ କୃଷି ବିଭାଗ ପକ୍ଷରୁ ତାଙ୍କୁ ତଥ୍ୟ ପ୍ରଦାନ କରାଯାଇଥିଲା  । ବିଲ ଗେଟସ ଯେଉଁ ପ୍ରଶ୍ନ ପଚାରିଥିଲେ କୃଷି ଅଧିକାରୀଙ୍କ ଟିମ୍‌ ଏହାର ସଠିକ ଉତର ଦେଇଥିଲେ  । ଡିଜିଟାଲ ଏଗ୍ରିକଲଚର ଟୁଲ ମାଧ୍ୟମରେ ଚାଷୀଙ୍କୁ ବିଭିନ୍ନ ସେବା ଓ ଯୋଜନା ପହଁଚାଉଥିବାରୁ ସେ ତାହାର ପ୍ରଶଂସା କରିଥିଲେ  । ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ସ୍ୱାବଲମ୍ବୀ ହୋଇଥିବା ଦୁଇଜଣ ମହିଳା ଚାଷୀଙ୍କ ସହ କଥା ହୋଇଥିଲେ । ଓଡ଼ିଶାଗସ୍ତ ଅବସରରେ ବିଲ ଗେଟସ ଭୁବନେଶ୍ୱରରେ ମିଶନ ଶକ୍ତି ବଜାର ବୁଲି ଦେଖିଛନ୍ତି । ଏହି ଅବକାଶରେ ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତିକେୟନ ତାଙ୍କୁ ସ୍ୱାଗତ କରିଥିଲେ  । କେବଳ ମହିଳାମାନଙ୍କ ଦ୍ୱାରା ଏହି ବଜାର ପରିଚାଳିତ ହେଉଥିବା ଜାଣି ସେ ଖୁସି ଜାହିର କରିଥିଲେ  । ମିଶନ ଶକ୍ତି ବଜାରରେ ପହଁଚି ପ୍ରଥମେ ସେ କୋରାପୁଟ କଫି କାଫେକୁ ଯାଇ କଫି ପିଇଥିଲେ  । ପରେ ବଜାର ଭିତରକୁ ଯାଇ ଢିଙ୍କିକୁଟା ଅକାଣ୍ଡି ଚାଉଳ, କନ୍ଧମାଳ ହଳଦୀ, କାଜୁ ବାଦାମ, ଦେଶି ମୁଗ ଡାଲି, ମୁଡକି କିଣିଥିଲେ  । କନ୍ଧମାଳ ହଳଦୀର ଔଷଧୀୟ ଗୁଣ ବିଷୟରେ ପଚାରି ବୁଝିଥିଲେ  । ମହିଳାମାନଙ୍କୁ ସ୍ୱାବଲମ୍ବୀ, ସଶକ୍ତିକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ ଥିବା ସୁଜାତା କାର୍ତିକେୟନ କହିଥିଲେ  । ଏହି ଅବସରରେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍‌ ମଧ୍ୟ ଉପସ୍ଥିତ ଥିଲେ  । ଏହାସହ ଭୁବନେଶ୍ୱର ଲୁମ୍ବିନ ବିହାର ସ୍ଥିତ ମା’ ମଙ୍ଗଳା ବସ୍ତି ପରିଦର୍ଶନ କରିବା ସହ ବିଜୁ ଆଦର୍ଶ କଲୋନୀ ଦେଖିଥିଲେ  ।

Related Articles

Leave a Reply

Your email address will not be published.

Back to top button