ମହାରାଷ୍ଟ୍ରରେ ସପ୍ତାହାନ୍ତ ଲକଡାଉନ୍

ନାଇଟ୍ କର୍ଫ୍ୟୁ ଲାଗୁ

ମୁମ୍ବାଇ: ଦେଶରେ ଦ୍ବିତୀୟ ପର୍ଯ୍ୟାୟ କୋରୋନା ଲହରୀ ଆରମ୍ଭ ହୋଇସାରିଥିବା ବେଳେ ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଏହି ରାଜ୍ୟରେ ଦୈନିକ ପାଖାପାଖି ୫୦ ହଜାର ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହାକୁ ନିୟନ୍ତ୍ରଣ କରିବା ସକାଶେ ସପ୍ତାହାନ୍ତ ଲକଡାଉନ୍ ଓ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି। ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବଢ଼ୁଥିବାରୁ ସେ ଆହୁରି ମଧ୍ୟ କେତେକ କଟକଣା ଘୋଷଣା କରିଛନ୍ତି। ରାଜ୍ୟରେ ନାଇଟ୍ କର୍ଫ୍ୟୁ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଆସନ୍ତା ସୋମବାର ଠାରୁ ଲାଗୁ ହେବ ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି। ସେହିପରି ରାଜ୍ୟରେ ଆସନ୍ତା ଶୁକ୍ରବାର ରାତି ୮ଟାରୁ ସୋମବାର ପ୍ରାତଃ ୭ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଜାରି ରହିବ ବୋଲି ମଧ୍ୟ କୁହାଯାଇଛି। ଏନସିପି ମନ୍ତ୍ରୀ ନବାବ୍ ମଲିକ କହିଛନ୍ତି ଯେ ପ୍ରତିଷେଧକମୂଳକ ବ୍ୟବସ୍ଥା ଧାରା ୧୪୪ ଅଧୀନରେ ଜାରି କରାଯାଇଥିବା ବେଳେ ଏହା ଦିନସାରା ବଳବତ୍ତର ରହିବ।

ନୂଆ କଟକଣା ଆସନ୍ତା ସୋମବାର ରାତି ୮ଟାରୁ ଲାଗୁ ହୋଇ ଆସନ୍ତା ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଆଶା କରାଯାଉଛି। ଏସବୁ କଟକଣା ଲାଗୁ କରାଯିବାର କାରଣ ହେଉଛି ବଢ଼ୁଥିବା କରୋନା ଶୃଙ୍ଖଳକୁ ଭାଙ୍ଗିବା। ଜାରି ନୂଆ କଟକଣା ଅନୁସାରେ, ଶିଳ୍ପ ଓ ଉତ୍ପାଦନ ସମ୍ପର୍କିତ କାରଖାନା, ପରିବା ବଜାର ଖୋଲା ରହିବ। ଯେଉଁସବୁ ନିର୍ମାଣ କ୍ଷେତ୍ରରେ ଶ୍ରମିକଙ୍କ ରହିବା ପାଇଁ ବ୍ୟବସ୍ଥା ଥିବ, ସେଠାରେ ନିର୍ମାଣ କାର୍ଯ୍ୟ ହୋଇପାରିବ। ସେହିପରି ରେସ୍ତୋରାଁ ଓ ବାରରେ କୌଣସି ପ୍ରକାର ଆଭ୍ୟନ୍ତରୀଣ କାର୍ଯ୍ୟ ହୋଇପାରିବ ନାହିଁ। ସେଠାରୁ କେବଳ ପାର୍ସଲ ଯୋଗା ଯାଇ ପାରିବ। ବ୍ୟାଙ୍କ୍ ଓ ବୀମା କମ୍ପାନୀଗୁଡ଼ିକ ବ୍ୟତୀତ ସମସ୍ତ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ। ଏହାଛଡ଼ା ସରକାରୀ କାର୍ଯ୍ୟାଳୟଗୁଡ଼ିକ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଓ ଅବଶିଷ୍ଟ ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବେ ବୋଲି କୁହାଯାଇଛି। କୌଣସି ସରକାରୀ ଅଫିସରେ କେବଳ କୋଭିଡ୍ ଟିକା ନେଇଥିବା ବ୍ୟକ୍ତିବିଶେଷ ପ୍ରବେଶ କରିପାରିବେ। ଆହୁରି କୌଣସି ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ଯୋଗ ଦେଇପାରିବେ ବୋଲି କୁହାଯାଇଛି।

Related Articles

Leave a Reply

Your email address will not be published.

Back to top button