ଓଡ଼ିଶା ମୋଟର ଯାନ ଚାଳକ ଓ କର୍ମଚାରୀ କଲ୍ୟାଣ ବୋର୍ଡ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ

ଭୁବନେଶ୍ୱର: ଓଡ଼ିଶା ମୋଟର ଯାନ ଚାଳକ ଓ କର୍ମଚାରୀ କଲ୍ୟାଣ ବୋର୍ଡ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ ଗତକାଲି ସୋମବାର ସଂଧ୍ୟାରେ ରାଜ୍ୟ ଜଳ ସଂପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ତଥା ବୋର୍ଡର ଅଧ୍ୟକ୍ଷ ଟୁକୁନି ସାହୁଙ୍କ ଦ୍ୱାରା ଉଦ୍ଘାଟିତ ହୋଇ ଯାଇଛି। ଏହି କାର୍ଯ୍ୟାଳୟ ବୋର୍ଡର ବିଭିନ୍ନ କାର୍ଯ୍ୟ ସୁଚାରୁରୂପେ ସଂପାଦନ କରିବାରେ ସହାୟକ ହେବ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ମୋଟର ଯାନ ଚାଳକ ଓ କର୍ମଚାରୀମାନଙ୍କୁ ବିଭିନ୍ନ ସୁବିଧା ଦେବା ପାଇଁ କଲ୍ୟାଣ ବୋର୍ଡ ଗଠନ କରିଛନ୍ତି। ଏହି କଲ୍ୟାଣ ବୋର୍ଡ ଜରିଆରେ ସେମାନେ କିପରି ସୁବିଧା ପାଇବେ, ସେଥି ନିମନ୍ତେ ଏହି ନୂତନ ଭାବେ ଉଦଘାଟିତ କାର୍ଯ୍ୟାଳୟ ସୁବିଧାଜନକ ହେବ। ସଭ୍ୟମାନେ ସେମାନଙ୍କର ନାମ ପଞ୍ଜୀକରଣ କରିବା, ହିତାଧିକାରୀଙ୍କୁ ଅନୁକମ୍ପା ରାଶି ପ୍ରଦାନ ପାଇଁ ଆବେଦନ ସଂଗ୍ରହ ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ସେମାନଙ୍କର କାର୍ଯ୍ୟ ପରିଚାଳନା ଆଦିରେ ଏହା ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି। ପରେ ପରେ ମନ୍ତ୍ରୀ ଶ୍ରୀମତୀ ସାହୁ ବୋର୍ଡର ଅନୁଷ୍ଠିତ ୨ୟ ବୈଠକରେ ଯୋଗଦେଇ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଊଷା ପାଢ଼ୀ, ବାଣିଜ୍ୟ ଓ ପରିବହନ ବିଭାଗ କମିଶନର ଅମିତାଭ ଠାକୁର, ବାଣିଜ୍ୟ ଓ ପରିବହନ ବିଭାଗର ଅଧିକାରୀ ଏବଂ ଓଡ଼ିଶା ମୋଟର ଯାନ ଚାଳକ ଓ କର୍ମଚାରୀ କଲ୍ୟାଣ ବୋର୍ଡର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ବୈଠକରେ ଯୋଗଦେଇଥିବା ବିଭିନ୍ନ ମୋଟର ଯାନ ସଂଘର କର୍ମକର୍ତ୍ତା ତଥା ବୋର୍ଡର ସଦସ୍ୟମାନେ ଯୋଗଦେଇ ମୋଟର ଯାନ ଚାଳକ ଓ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଏହି ବୋର୍ଡର ପରିଚାଳନା ପାଇଁ ମନ୍ତ୍ରୀ ଶ୍ରୀମତୀ ସାହୁ ସମସ୍ତ ସଦସ୍ୟମାନଙ୍କର ସହଯୋଗ କାମନା କରିଥିଲେ।

Related Articles

Leave a Reply

Your email address will not be published.

Back to top button