‘ରାଧେ’ ଫିଲ୍ମରେ ଓଡ଼ିଆ ଅଭିନେତା ରାମ ସିର୍କା

କେନ୍ଦୁଝର: ଇଚ୍ଛା ଥିଲେ, ନିଜର ଉଦ୍ୟମ ବଳରେ ସବୁ କିଛି ହାସଲ କରିହେବ । ଏହାକୁ ପ୍ରମାଣିତ କରିଛନ୍ତି ବଲିଉଡରେ ଷ୍ଟାର ପାଲଟିଥିବା ଆଦିବାସୀ ଯୁବକ ରାମ ସିର୍କା । ପ୍ରଭୁଦେବା ନିର୍ଦ୍ଦେଶିତ ଓ ସଲମାନ ଖାନ ଅଭିନୀତ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘ରାଧେ’ ରେ ସେ ଅଭିନୟ କରିବାର ସୁଯୋଗ ପାଇଥିବା ବେଳେ ଆସନ୍ତା ଇଦରେ ଏହି ସିନେମା ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ନିପଟ ମଫସଲ ଖନ୍ତ ଗ୍ରାମରେ ରାମଙ୍କର ଜନ୍ମ । ଦୀର୍ଘ ବର୍ଷ ଧରି ମାୟା ନଗରୀ ମୁମ୍ବାଇରୁ ନିଜ ମାତୃଭୂମିକୁ ଆସିଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । କେନ୍ଦୁଝର ଜିଲ୍ଲାକୁ ବୁଧବାର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଏକ ଗଣମାଧ୍ୟମକୁ ତାଙ୍କର ଅନୁଭୂତି କହିଥିଲେ ।

ଗରିବ ପରିବାରରେ ତାଙ୍କର ଜନ୍ମ । ବାପା ଶିବ ସିର୍କା କାମ ଅନ୍ୱେଷଣରେ ୧୯୭୪ ରେ ଟାଟା ନଗର ଚାଲି ଯାଇଥିଲେ । ସେଠାରେ ରାମ ପାଠ ପଢ଼ା ସହିତ ମାର୍ସଲଆଟ ଶିକ୍ଷା ନେଇ ବ୍ଲାକ ବେଲ୍ଟ ପାଇଥିଲେ । ଏହି ଖେଳ ଦିନେ ତାଙ୍କ ଭବିଷ୍ୟତ ବଦଳାଇଦେବ ତାହା ସେ ଜାଣି ନଥିଲେ । ପିଲା ଦିନରୁ ଅଭିନୟ କରିବାର ଆଶା ଥିଲେ ହେଁ ପରିବାରର ଅଭାବ ଅନାଟନ ଯୋଗୁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା । ତେବେ ଗ୍ରାଜୁଏସନ ପରେ ସ୍ୱପ୍ନକୁ ସାକାର କରିବା ପାଇଁ ୨୦୦୫ ରେ ମୁମ୍ବାଇ ଚାଲିଯାଇଥିଲେ । ସେଠାରେ ମାର୍ସଲ ଆର୍ଟରେ ପ୍ରଶିକ୍ଷଣ ଦେଇ ରୋଜଗାର କରିଥିଲେ । ଭାଗ୍ୟ ବଦଳି ଯାଇଥିଲା ଯେତେବେଳେ ଏହି ଆର୍ଟ ଶିଖିବା ପାଇଁ ନାମୀଦାମୀ ଲୋକ ଆସିଲେ । ପରବର୍ତ୍ତୀ ସମୟରେ ନବକୁମାର ରାଜୁ ନାମକ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ ଗୁରୁ ଭାବେ ଗ୍ରହଣ କରିନେଇଥିଲେ । କିଛି ବର୍ଷ ପରେ ବଲିଉଡ ଅଭିନେତା ଅଭିନେତ୍ରୀଙ୍କର ଫିଟନେସ ଟ୍ରେନର ଭାବେ କାମ କରିବାକୁ ସୁଯୋଗ ପାଇଲେ । ପରେ ହିନ୍ଦୀ ସିନେମା ଏବଂ ମାଲାୟଲମର ଦ କୁମ୍ପୁ ମାଷ୍ଟର, ଆକ୍ସନ ହିରୋ ବୁଜୁ ଆଦି ସିନେମାରେ ଅଭିନୟ କରିବାର ସୁଯୋଗ ପାଇଥିବା କହିଛନ୍ତି । ଏହା ସହିତ ସେ ବହୁ ରିଆଲିଟି ଶୋ, ସିରିୟଲରେ ମଧ୍ୟ ଅଭିନୟ କରିବାର ସୁଯୋଗ ପାଇଥିଲେ । ‘ରାଧେ’ ସିନେମାରେ ଅଭିନେତା ସଲମାନ ଖାନଙ୍କ ସହିତ ଅଭିନୟ କରିବା ପରେ ସେ ଭାବ ବିହ୍ୱଳ ହୋଇ ଉଠିଥିଲେ । ଏହି ସିନେମାକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି । ମୁମ୍ବାଇରେ ଏଥିପାଇଁ ତାଙ୍କୁ ଦୀର୍ଘ ବର୍ଷ ଧରି ବହୁ ଉଦ୍ୟମ ଓ ସଂଘର୍ଷ କରିବାକୁ ପଡ଼ିଥିବା ସେ କହିଛନ୍ତି । ଏହି ସିନେମାରେ ଅଭିନୟକୁ ନେଇ ସେ କିଛି କହି ନଥିଲେ ହେଁ ନେଗେଟିଭ ରୋଲ ମିଳିଛି ଯାହାକୁ ଲୋକ ଦେଖିଲେ ଜାଣିପାରିବେ । ସେ ତାଙ୍କ ସ୍ତ୍ରୀ ଓ ଝିଅ ସହିତ ମୁମ୍ବାଇରେ ରହୁଛନ୍ତି । ଘରେ ବାପା, ମା ଓ ବଡ଼ଭାଇ ଅଛନ୍ତି । ଭଉଣୀ ବିବାହିତା ବୋଲି କହିଛନ୍ତି । ସିନେମା ଦୁନିଆକୁ ଯାଇ ମଧ୍ୟ ନିଜର ପରମ୍ପରା ଭୁଲି ନଥିବା କୁହନ୍ତି । ସୁଯୋଗ ମିଳିଲେ ଓଡ଼ିଆ ସିନେମାରେ ଅଭିନୟ କରିବେ ବୋଲି କହିଛନ୍ତି । ସେହିପରି ନିଜ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରି ପାରିଲେ ସବୁଠି ସଫଳ ହୋଇପାରିବେ ବୋଲି କହିଛନ୍ତି ।

 

Related Articles

Leave a Reply

Your email address will not be published.

Back to top button