ୟୁପିରେ ୧୧ ଆସନରେ ନିର୍ବାଚନ ଲଢିବ କଂଗ୍ରେସ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟା କରାଯାଇଛି। ୟୁପିରେ ୧୧ ଆସନରେ କଂଗ୍ରେସ ନିର୍ବାଚନ ଲଢିବ। ଶନିବାର ସୋସିଆଲ ମିଡିଆରେ ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବ ଏହି ସୂଚନା ଦେଇଛନ୍ତି। ଅଖିଳେଶ କହିଛନ୍ତି, କଂଗ୍ରେସ ସହିତ ୧୧ଟି ମଜଭୁତ ଆସନ ସହିତ ଆମର ମହତ୍ତ୍ୱପୂର୍ଣ୍ଣ ମେଣ୍ଟର ଭଲ ଆରମ୍ଭ ହୋଇଛି ଏବଂ ବିଜୟର ସମୀକରଣ ସହିତ ଏହି ଧାରା ଆଗକୁ ବଢିବ। ‘ଇଣ୍ଡିଆ’ ଦଳ ଏବଂ ‘ପିଡିଏ’ର ରଣନୀତି ଇତିହାସ ବଦଳାଇ ଦେବ। ଉତ୍ତରପ୍ରଦେଶରେ ଏସପି କଂଗ୍ରେସକୁ ୧୧ଟି ଆସନ ଦେବାକୁ ଘୋଷଣା କରିଛନ୍ତି। ଏଥିମଧ୍ୟରୁ ଦୁଇଟି ଆସନ ରାୟବରେଲି ଏବଂ ଆମେଠୀ ମଧ୍ୟ ରହିଛି। ଏହା ବ୍ୟତୀତ ଅନ୍ୟ କେଉଁ ନଅଟି ଆସନ ଦିଆଯାଇଛି ସେ ସମ୍ପର୍କରେ ଏ ପର୍ୟ୍ୟନ୍ତ କୌଣସିି ସୂଚନା ମିଳିନାହିଁ। ଖବର ଅନୁଯାୟୀ, ପଶ୍ଚିମ ୟୁପିରେ ଚାରୋଟି ଆସନରେ କଂଗ୍ରେସ ନିର୍ବାଚନ ଲଢିପାରେ। ଏହି ଆସନ ମଧ୍ୟରୁ ଗୋଟିଏ ହେଉଛି ଉମରୋହା, ଯେଉଁଠାରେ କୁନୱାର ଦାନିଶ ଅଲି ଏମ୍‌ପି ଅଛନ୍ତି। ଗତ ମାସରେ ଡିସେମ୍ବରରେ ତାଙ୍କୁ ବିଏସପିରୁ ବହିଷ୍କାର କରାଯାଇଥିଲା। ପଶ୍ଚିମ ୟୁପି ବ୍ୟତୀତ ପୂର୍ବାଞ୍ଚଳ ଏବଂ ବୁନ୍ଦେଲଖଣ୍ଡରେ କଂଗ୍ରେସକୁ ମଧ୍ୟ ଆସନ ଦିଆଯାଇପାରେ। ଏସପି ମୁଖ୍ୟ ପୂର୍ବରୁ କହିଥିଲେ ଯେ, ସେ ଚଳିତ ମାସ ଶେଷ ସୁଦ୍ଧା ଆସନ ଉପରେ ନିଷ୍ପତ୍ତି ନେବେ ଏବଂ ବର୍ତ୍ତମାନ ଏହା ମଧ୍ୟ ଏସପି ଘୋଷଣା କରିଛି। ତେବେ ଏ ପର୍ୟ୍ୟନ୍ତ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ କଂଗ୍ରେସ କେବଳ ଗୋଟିଏ ରାୟବରେଲି ଆସନରେ ଜିତିଥିଲା।

Related Articles

Leave a Reply

Your email address will not be published.

Back to top button