ରଜନୀକାନ୍ତ ପାଇବେ ଦାଦାସାହେବ ଫାଲ୍କେ ପୁରସ୍କାର

ନୂଆଦିଲ୍ଲୀ: ୨୦୧୯ ବର୍ଷର ସମ୍ମାନଜନକ ‘ଦାଦାସାହେବ ଫାଲ୍କେ ପୁରସ୍କାର’ ପାଇବେ ସୁପର୍ଷ୍ଟାର୍ ରଜନୀକାନ୍ତ। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଟ୍ବିଟ କରି ସୂଚନା ଦେଇଛନ୍ତି। ଭାରତୀୟ ଚଳଚ୍ଚିତ୍ର ଇତିହାସରେ ତାଙ୍କର ଜୀବନବ୍ୟାପୀ ଅବଦାନ ପାଇଁ ଅଭିନେତା ରଜନୀକାନ୍ତଜୀଙ୍କୁ ଏହି ସମ୍ମାନ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିବା ଜାଭଡେକର ଲେଖିଛନ୍ତି। ଜଣେ ଅଭିନେତା, ପ୍ରଯୋଜକ ଏବଂ ସ୍କ୍ରିନ ରାଇଟର ଭାବେ ତାଙ୍କର ଅବଦାନ ବ୍ୟାପକ ସ୍ୱୀକୃତି ଲାଭ କରିଛି ବୋଲି ଜାଭେଡକର ତାଙ୍କ ପ୍ରଶଂସାମୂଳକ ଟ୍ବିଟରେ ଲେଖିଛନ୍ତି।

ଭାରତୀୟ ସିନେମା ପାଇଁ ବଳିଷ୍ଠ ଅବଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବାର ବ୍ୟବସ୍ଥା ରହି ଆସିଛି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ୱାରା ଗଠିତ ଡାଇରେକ୍ଟୋରେଟ୍ ଅଫ୍ ଫେଷ୍ଟିଭାଲ୍ସ୍ ଦ୍ୱାରା ‘ଦାଦାସାହେବ ଫାଲ୍କେ’ ପୁରସ୍କାର ଚୟନ କରାଯାଇଥାଏ। ଭାରତୀୟ ସିନେମାରେ ଏହା ସବୁଠୁ ସମ୍ମାନଜନକ ପୁରସ୍କାର ଭାବେ ବିବେଚନା କରାଯାଏ। ପୁରସ୍କାର ଭାବେ ୧୦ ଲକ୍ଷ ଟଙ୍କାର ନଗଦ ଅର୍ଥ ସହ ଏକ ସୁବର୍ଣ୍ଣ ପଦ୍ମ ପ୍ରଦାନ କରାଯାଇ ଥାଏ। ପୁରସ୍କାର ପାଇବା ପାଇଁ ମନୋନୀତ ରଜନୀକାନ୍ତ ଦକ୍ଷିଣ ଭାରତୀୟ ସିନେମା କ୍ୟାରିଅର ଆରମ୍ଭ କରି ବଲିଉଡରେ ଅନେକ ହିଟ ଫିଲ୍ମ ଭେଟିଦେଇ ଦର୍ଶକଙ୍କ ମନ ଜିଣିବାରେ ସଫଳତା ପାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ରଜନୀକାନ୍ତଙ୍କୁ ଏହି ବଡ଼ ସଫଳତା ନେଇ ଟ୍ବିଟ କରି ବଧେଇ ଜଣାଇଛନ୍ତି।



