ଭାରତର ନିର୍ଣ୍ଣାୟକ ପଦକ୍ଷେପକୁ ନେଇ ଚିନ୍ତାରେ ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ସରକାର ଏକ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରି ରବିବାର ପାକିସ୍ତାନ ସମର୍ଥକ ଗୋଷ୍ଠୀ ତେହେରିକ-ଏ-ହୁରିୟତ (TEH) କୁ ଆସନ୍ତା ପାଞ୍ଚ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି। ଏହାକୁ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି। ଭାରତ ଯୁକ୍ତି କରିଛି ଯେ, ଜାମ୍ମୁ କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଏବଂ ଭାରତ ବିରୋଧୀ ପ୍ରଚାର ପ୍ରସାର ପାଇଁ ବିଚ୍ଛିନ୍ନତାବାଦୀ ସଂଗଠନ ହୁରିୟତଙ୍କୁ ନିଷେଧ କରାଯାଇଛି। ଭାରତ ତେହେରିକ-ଏ-ହୁରିୟତ (TEH) ଉପରେ ପ୍ରତିବନ୍ଧକ ଲଗାଇବା ପରେ ପାକିସ୍ତାନ ଅସୁବିଧାରେ ପଡିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରେସ ବିଜ୍ଞପ୍ତି ଅନୁଯାୟୀ ବୈଦେଶିକ ମନ୍ତ୍ରଣାଳୟ TEH ଉପରେ ପ୍ରତିବନ୍ଧକ ଲଗାଇବାକୁ ନିନ୍ଦା କରିଛି। ସେମାନେ କହିଛନ୍ତି ଯେ, ଏହି ଉପାୟରେ କୌଣସି ଦଳକୁ ନିଷେଧ କରିବା ମାନବିକ ଅଧିକାରର ଉଲ୍ଲଂଘନ। ପାକିସ୍ତାନ କହିଛି ଯେ, ଏଭଳି ନିଷ୍ପତ୍ତି ନେଇ ଭାରତ କାଶ୍ମୀରରେ ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରୁଛି ଏବଂ କାଶ୍ମୀରବାସୀଙ୍କ ଅଧିକାରକୁ ଦମନ କରୁଛି।
ଆତଙ୍କବାଦ ପାଇଁ ଶୂନ୍ୟ ସହନଶୀଳତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଅନୁଯାୟୀ ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡିତ ପ୍ରତ୍ୟେକ ବ୍ୟକ୍ତି କିମ୍ବା ସଂଗଠନ ବିରୋଧରେ କଡା ପଦକ୍ଷେପ ନିଆଯିବ ବୋଲି ଭାରତର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି। ଶାହା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, ଏହି ସଂଗଠନ ଜାମ୍ମୁ କାଶ୍ମୀରକୁ ଭାରତରୁ ଅଲଗା କରିବା ଏବଂ ଇସଲାମିକ ନିୟମ ପ୍ରତିଷ୍ଠା କରିବା ନିଷେଧ କାର୍ଯ୍ୟକଳାପରେ ଜଡିତ ଅଛି।