ଶ୍ରୀଜଗନ୍ନାଥ ମନ୍ଦିରରେ ମୁତୟନ ହେବେ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ, ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଭକ୍ତମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବା ପାଇଁ ସେଠାରେ ମୁତୟନ ହେବେ ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ। ଆଜି ଏ ନେଇ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ହିନ୍ଦୁମାନଙ୍କ ପାଇଁ ବିଶ୍ୱାସର କେନ୍ଦ୍ରସ୍ଥଳ ଶ୍ରୀଜଗନ୍ନାଥ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କୁ ଆକର୍ଷିତ କରିଥାଏ। କୋଭିଡ୍ ପରେ ଭକ୍ତଙ୍କ ଦୈନିକ ପ୍ରବେଶ ପ୍ରାୟ ପଚାଶ ହଜାର ହେବ ବୋଲି ଅନୁମାନ କରାଯାଉଛି। ସେହିପରି ସପ୍ତାହ ଶେଷରେ କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଉତ୍ସବରେ ଏହି ସମାବୋଶ ଦ୍ୱିଗୁଣିତ ହୋଇଯାଏ। ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପରେ ଏହି ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। 5ଟି ଅଧିନରେ ଏହା ବର୍ତ୍ତମାନ ରାଜ୍ୟର ଏକ ବଡ ତଥା ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ହେବ। ଏଥିରେ ଭକ୍ତଙ୍କ ପାଇଁ ଯେଉଁ ସୁବିଧା ରହିଛି ସେଥିରେ ପ୍ରତିଦିନ ସଂଖ୍ୟା ବେଶ ବୃଦ୍ଧି ପାଇବ। ତାହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରର ସମସ୍ତ କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରାଯାଇଥିଲା। ଏହାପରେ 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପରାମର୍ଶ କ୍ରମେ ସେଠାରେ ସ୍ବତନ୍ତ୍ର ସୁରକ୍ଷା ବାଟାଲିଆନ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯିବା ପରେ ସେ ଏହି ଅନୁମୋଦନ କରିଛନ୍ତି। ମନ୍ଦିରକୁ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବାର ନୂତନ ବାଟାଲିୟନର ପ୍ରାଥମିକ ଦାୟିତ୍ବ ରହିବ। ଏଥିସହିତ ଭକ୍ତଙ୍କୁ ନିୟନ୍ତ୍ରିତ କରି ମନ୍ଦିର ଭିତରକୁ ପ୍ରବେଶ କରାଇବା, ସୁରୁଖୁରୁରେ ଦର୍ଶନ କରାଇବା ଏହି ନୂଆ ବାଟାଲିଆନର ପ୍ରମୁଖ କାମ ହେବ। ସେଥିପାଇଁ ସେମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନରେ ପାଖାପାଖି ୧୧୯୦ କର୍ମଚାରୀ ରହିବେ ଏବଂ ଏହାକୁ ପୋଲିସ ଅଧୀକ୍ଷକ ପୁରୀର ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣରେ ରଖାଯିବ ବୋଲି ନିଷ୍ପତି ହୋଇଛି।

Related Articles

Leave a Reply

Your email address will not be published.

Back to top button