ବାଲେଶ୍ୱର ଓ ବଲାଙ୍ଗୀରରେ ଆମ ଓଡ଼ିଶା ନବୀନ ଓଡ଼ିଶା ଉଦଘାଟନ

ଭୁବନେଶ୍ୱର:  ଆରମ୍ଭ ହୋଇଛି ଆମ ଓଡ଼ିଶା ନବୀନ ଓଡ଼ିଶା । ଝାରସୁଗୁଡା ପରେ ପରେ ଏହି ଯୋଜନାରେ ବାଲେଶ୍ୱର ଓ ବଲାଙ୍ଗୀର ମଧ୍ୟ ସାମିଲ ହୋଇଛି । ଜିଲ୍ଲାର ପ୍ରଗତି ଧାରାକୁ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ନେଇ ଏହି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଆଜି ସୋରରେ ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି । ସମଗ୍ର ବାଲେଶ୍ୱର ଜିଲ୍ଲାର ୧୨ଟି ବ୍ଲକର ସମସ୍ତ ବିକାଶ ମୂଳକ କାର୍ୟ୍ୟଗୁଡିକର ଶୁଭ ଉଦଘାଟନ କରାଯାଇଥିଲା । ବାଲେଶ୍ୱର ୧୨ଟି ବ୍ଲକରେ ଜଗନ୍ନାଥ ସଂସ୍କୃତି, ମନ୍ଦିର, ମସଜିଦ, କମ୍ୟୁନିଟି ସେଂଟର, ଶିକ୍ଷା ଓ ସ୍ୱାସ୍ଥ୍ୟର ରୂପାନ୍ତରୀକରଣ, ନାରୀ ଓ ଯୁବ ସଶକ୍ତିକରଣରୁ ନେଇ କୃଷି, ବ୍ୟାଙ୍କ ଓ ଡିଜିଟାଲ ସେବାର ଉନ୍ନତିକରଣ ପାଇଁ ଅର୍ଥ ମଂଜୁର ହୋଇଛି । ମୋଟ ୪ହଜାର ୪୬୫ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ୧୭୮ କୋଟି ଅନୁଦାନ କରାଯାଇଛି । ସେହିଭଳି ସୋର ନିର୍ବାଚନ ମଣ୍ଡଳୀର ୪୩ଟି ଗ୍ରାମପଂଚାୟତ ପାଇଁ ୫ହଜାର ୭୭୬ଟି ପ୍ରକଳ୍ପକୁ ୨୧ କୋଟି ୫୦ ଲକ୍ଷ ଟଙ୍କା ମଂଜୁର କରାଯାଇଛି । ବିଭିନ୍ନ ପ୍ରକଳ୍ପର ଉନ୍ନତି କରଣ ହେବାକୁ ଥିବା ବେଳେ ଏନେଇ ସୋରବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ସେହିଭଳି ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ୧୫୮ କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ୩ହଜାର ୯୧୧ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ୟ୍ୟକାରୀ ହେବ ।

Related Articles

Leave a Reply

Your email address will not be published.

Back to top button