ଦିଲ୍ଲୀ ଅବକାରୀ ଦୁର୍ନୀତି: ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଶୁଣାଣି ପରେ ସିସୋଦିଆ ଦାଖଲ କରିଥିବା ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଜରିଆରେ ସିସୋଦିଆଙ୍କ ବିରୋଧରେ ଯାଞ୍ଚ କରାଯାଉଥିବା ମାମଲାଗୁଡ଼ିକ ଉପରେ ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଜଷ୍ଟିସ ଏସ୍.ଭି.ଏନ୍ ଭଟ୍ଟଙ୍କ ଖଣ୍ଡପୀଠ ଏହାର ରାୟ ଦେଇଛନ୍ତି।

ଦିଲ୍ଲୀ ଅବକାରୀ ନୀତି ଏବଂ ସିସୋଦିଆଙ୍କ ବିରୋଧରେ ମାମଲା ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ସିବିଆଇ ଏବଂ ଇଡିଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଅବକାରୀ ଦୁର୍ନୀତିରେ ସିସୋଦିଆ ଫେବୃଆରୀରୁ ଜେଲରେ ଅଛନ୍ତି। ଏହାପୂର୍ବରୁ, ସିସୋଦିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ତାଙ୍କ ବିରୋଧରେ ଦୁଇଟି ପୃଥକ ମାମଲାରେ ସିସୋଦିଆ ଜାମିନ ମାଗିଛନ୍ତି। ଏଥିମଧ୍ୟରୁ ଗୋଟିଏ ମାମଲା ସିବିଆଇ ଏବଂ ଅନ୍ୟଟି ଇଡି ଦ୍ୱାରା ଦାଖଲ କରାଯାଇଛି।

ଯଦିଓ ସୁପ୍ରିମକୋର୍ଟ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ସିସୋଦିଆଙ୍କ ବିରୋଧରେ ମାମଲା ୬ ରୁ ୮ ମାସ ମଧ୍ୟରେ ଶେଷ ହେବା ଉଚିତ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ମୁକଦ୍ଦମା ପ୍ରକ୍ରିୟା ମନ୍ଥର ରହେ, ସିସୋଦିଆ ତିନି ମାସ ମଧ୍ୟରେ ପୁନର୍ବାର ଜାମିନ ପାଇଁ ଆବେଦନ କରିବାର ଅଧିକାର ପାଇବେ। ଏଭଳି ପରିସ୍ଥିତିରେ, ସିସୋଦିଆ ତିନି ମାସ ପରେ ପୁନର୍ବାର କୋର୍ଟରେ ପହଞ୍ଚୁଛନ୍ତି କି ନାହିଁ ତାହା ଦେଖିବାକୁ ପଡ଼ିବ।

Related Articles

Leave a Reply

Your email address will not be published.

Back to top button