ନବୀନଙ୍କ ଘରକୁ ଯିବା ଭୁଲ ଥିଲା: ପ୍ରଦୀପ୍ତ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ବୋଧହୁଏ ପୂର୍ବରୁ ଏମିତି କେବେ ବି ଦେଖିବାକୁ ମିଳିନଥିଲା । ନବୀନ ନିବାସ ଆଗରେ ଧାରଣାରେ ବସିଥିବା ବିଜେପି ବିଧାୟକମାନଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଭିତରେ ଆଲୋଚନା କରିବା ପାଇଁ ଡାକିଥିଲେ । ଆଉ ବିଜେଡିର କିଛି ତୁଙ୍ଗ ନେତା ହାତଯୋଡି ବିଜେପି ବିଧାୟକଙ୍କୁ ନବୀନ ନିବାସ ଭିତରକୁ ଆସିବା ପାଇଁ ଅନୁରୋଧ କରିଥିଲେ । ତେବେ ଏବେ କିନ୍ତୁ ନବୀନ ନିବାସ ଯାଇ ପଶ୍ଚାତାପ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ନବୀନ ବାବୁଙ୍କ ଘରକୁ ଯିବା ଭୁଲ ଥିଲା ।  ସେଠାକୁ ଆମର ଯିବାର ନଥିଲା । ସେଠାକୁ ଯାଇ ଆମେ ଭୁଲ କରିଛୁ । ଏଭଳି କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।  ଏହାଛଡ଼ା ନବୀନ ବାବୁ ଆମକୁ ଘରକୁ ଡାକି ଆମ ସହ ପ୍ରତାରଣା କରିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି ।  ପ୍ରକାଶ ଯେ,ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବିଜେପି ବିଧାୟକ ଦଳ ନବୀନ ନିବାସ ଯାଇଥିଲେ ।   ଆଉ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ପାଦକୁ ଧୋଇ ସ୍ୱାଗତ କରାଯାଇଥିଲା । ଜଣଙ୍କ ପରେ ଜଣେ ବିଧାୟକଙ୍କୁ ଓଡିଆ ସଂସ୍କୃତି ଅନୁସାରେ ସ୍ୱାଗତ କରାଯିବା ସହ ଦିଆଯାଇଥିଲା ସାନିଟାଇଜର ଆଉ ନୁଆ ମାସ୍କ । ବିଜେଡି କର୍ମୀ ସମସ୍ତ ବିଜେପି ବିଧାୟକଙ୍କ ମୁଣ୍ଡରେ ଚନ୍ଦନ ଟିପା ମାରି ଆଲୋଚନା ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ନେଇ ଯାଇଥିଲେ । ଏହି ସବୁ ଘଟଣାମାନ ଘଟିବା ସମୟରେ ସାଥୀରେ ବିଜେଡି ବିଧାୟକ, ନେତା, ମନ୍ତ୍ରୀ ସବୁ ଉପସ୍ଥିତ ଥିଲେ । ନବୀନ ନିବାସର ପରିସର ଭିତରେ ଥିବା ଖୋଲା ସ୍ଥାନରେ ସମସ୍ତ ବିଧାୟକଙ୍କର ବସିବା ପାଇଁ ବ୍ୟବସ୍ଥା ହୋଇଥିଲା । ଯେଉଁଠି ମୁଖ୍ୟମନ୍ତ୍ରୀ ବସି ସେମାନଙ୍କ ସହ ଆଲୋଚନା କରିଥିଲେ । କେଇ ମିନିଟର ଆଲୋଚନା ଭିତରେ ମୁଖ୍ୟମନ୍ତ୍ରୀ କହିଥିଲେ, ସର୍ବଦଳୀୟ ବୈଠକ ଜରିଆରେ ସମସ୍ୟା ସମାଧାନର ରାସ୍ତା ଫିଟିବ । ଆଲୋଚନା ବେଳେ କିଛି ମନ୍ତ୍ରୀଙ୍କୁ ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ଖାସ କରି ଖାଦ୍ୟ ଯୋଗାଣ ମନ୍ତ୍ରୀ, ଯାହାଙ୍କ ବିଭାଗକୁ ନେଇ ସରଗରମ ରହିଛି ପ୍ରସଙ୍ଗ, ସେ ମଧ୍ୟ ଉପସ୍ଥିତ ଥିଲେ । ନବୀନ ନିବାସ ଭିତରେ ବିଜେପି ବିଧାୟକଙ୍କ ପାଇଁ ଘୋଳଦହି, ପଇଡ ପାଣି, କୋଲଡ୍ରିଙ୍କସ ଆଦି ବ୍ୟବସ୍ଥା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ବିଜେଡି ନେତା, ବିଜେପି ବିଧାୟକଙ୍କୁ ଆପ୍ୟାୟିତ କରିଥିଲେ । ଆଉ ଏହାପରେ ବାହାରକୁ ବାହାରିଥିଲେ ମୁଖ୍ୟମନ୍ତ୍ରୀ ଖୋଜିବାକୁ ଆସିଥିବା ବିଜେପି ବିଧାୟକ । ତେବେ ଆଜି କିନ୍ତୁ ନବୀନ ପଟ୍ଟନାୟକ ପ୍ରତାରଣା କରିଥିବା କହିଛନ୍ତି  ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।  ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ଆଜିର ଉତ୍ତରରୁ ମୁଖ୍ୟମନ୍ତ୍ରୀ ପ୍ରତାରଣା କରିଥିବା ସ୍ପଷ୍ଟ ବୋଲି ଶ୍ରୀ ନାଏକ କହିଛନ୍ତି । 

Related Articles

Leave a Reply

Your email address will not be published.

Back to top button