“ମହାଦେବଙ୍କ ଆଶୀର୍ବାଦ ଯୋଗୁ କାଶୀର ବିକାଶର ଗତି ଅଭୂତପୂର୍ବ ହୋଇଛି”: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ବାରଣାସୀର ରୁଦ୍ରାକ୍ଷ ଆନ୍ତର୍ଜାତିକ ସହଯୋଗ ଓ ଅଧିବେଶନ କେନ୍ଦ୍ରରେ କାଶୀ ସଂସଦ ସାଂସ୍କୃତିକ ମହୋତ୍ସବ ୨୦୨୩ର ଉଦଯାପନୀ ସମାରୋହରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୧୧୫ କୋଟି ଟଙ୍କା ବ୍ୟୟରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ନିର୍ମିତ ୧୬ଟି ଅଟଳ ଆବାସୀୟ ବିଦ୍ୟାଳୟର ମଧ୍ୟ ଉଦଘାଟନ କରିଛନ୍ତି । ଶ୍ରୀ ମୋଦୀ କାଶୀ ସଂସଦ ଖେଳ ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ପୋର୍ଟାଲ ମଧ୍ୟ ଉନ୍ମୋଚନ କରିଛନ୍ତି । କାଶୀ ସଂସଦ ସାଂସ୍କୃତିକ ମହୋତ୍ସବର ବିଜେତାଗଣଙ୍କୁ ମଧ୍ୟ ସେ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଆଗରୁ ପ୍ରଧାନମନ୍ତ୍ରୀ ଅଟଳ ଆବାସୀୟ ବିଦ୍ୟାଳୟ ବିଦ୍ୟାର୍ଥୀମାନଙ୍କ ସହ ମଧ୍ୟ ମତ ବିନିମୟ କରିଥିଲେ ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ଯୋଗୁ କାଶୀ ପ୍ରତି ସମ୍ମାନ ନିରବଚ୍ଛିନ୍ନ ଭାବେ ବଢ଼ିବାରେ ଲାଗିଛି ଓ ନଗରୀ ନିମନ୍ତେ ପ୍ରଣୀତ ନୀତିଗୁଡ଼ିକ ଶିଖର ଛୁଇଁଛି । ଜି-୨୦ର ଶିଖର ବୈଠକ ପାଇଁ କାଶୀର ଅବଦାନର ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ ଯେଉଁମାନେ ଏହି ନଗରୀ ପରିଦର୍ଶନ କରିଛନ୍ତି, ସେମାନେ ଏହାର ସେବା, ମାଧୁର୍ଯ୍ୟ, ସଂସ୍କୃତି ଓ ସଂଗୀତ ଦ୍ୱାରା ଆବିଭୂତ ହୋଇ ଯାଇଛନ୍ତି ଓ ଜି-୨୦ର ସଫଳତା ଭଗବାନ ମହାଦେବଙ୍କ ଆଶୀର୍ବାଦ ବଳରେ ସମ୍ଭବ ହୋଇଛି ବୋଲି ସେ କହିଥିଲେ ।

ମହାଦେବଙ୍କ ଆଶୀର୍ବାଦ ଯୋଗୁ କାଶୀ ବିକାଶର ଅଭୂତପୂର୍ବ ଗତି ହାସଲ କରିଛି । ସେ ବାରଣାସୀରେ ଆଜି ଶିଳାନ୍ୟାସ କରିଥିବା ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ ଓ ୧୬ଟି ଅଟଳ ଆବାସିକ ବିଦ୍ୟାଳୟର ଉତ୍ସର୍ଗୀକୃତ ଭାବ ପାଇଁ ଶ୍ରୀ ମୋଦୀ କାଶୀର ଜନସାଧାରଣ ଓ ଶ୍ରମିକମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ମସିହା ଠାରୁ କାଶୀର ସଂସଦ ସଦସ୍ୟ ଭାବେ ତାଙ୍କ ଦୂରଦୃଷ୍ଟି ଶେଷରେ ବାସ୍ତବ ରୂପ ନେଇଛି । ସେ କାଶୀ ସାଂସ୍କୃତିକ ମହୋତ୍ସବରେ ବିପୁଳ ସଂଖ୍ୟାରେ ଅଂଶଗ୍ରହଣ ପ୍ରତି ସମର୍ଥନ ଜଣାଇବା ସହ ସେ ଅଞ୍ଚଳ ବିଭିନ୍ନ ମେଧା ସହ ପରିଚିତ ହୋଇଥିବାରୁ କୃତଜ୍ଞତା ମଧ୍ୟ ଜଣାଇଥିଲେ । ଏହା ମହୋତ୍ସବର ପ୍ରଥମ ଭାଗ ହୋଇଥିବା ତଥା ଏଥିରେ ପ୍ରାୟ ୪୦ ହଜାର କଳାକାର ଅଂଶଗ୍ରହଣ କରିବା ଓ ଲକ୍ଷ ଲକ୍ଷ ପରିଦର୍ଶକ ଏଠାକୁ ଆସିଥିଲେ ବୋଲି ସେ କହିଥିଲେ । ଜନସାଧାରଣଙ୍କ ସହଯୋଗ ଯୋଗୁ କାଶୀ ସଂସଦ ସାଂସ୍କୃତିକ ମହୋତ୍ସବ ଆଗାମୀ ଦିନରେ ଏହାର ଏକ ପରିଚୟ ସୃଷ୍ଟି କରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ । କାଶୀ ବିଶ୍ୱବ୍ୟାପୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବାରେ ଲାଗିଛି ବୋଲି ସେ କହିଥିଲେ ।

ଶ୍ରୀ ମୋଦୀ କହିଥିଲେ ଯେ କାଶୀ ଓ ସଂସ୍କୃତି ଏକ ଶକ୍ତିର ଦୁଇଟି ନାମ ଓ କାଶୀ ଭାରତର ସାଂସ୍କୃତିକ ରାଜଧାନୀ ହେବାର ଗୌରବ ହାସଲ କରିଛି । ନଗରୀର କୋଣେ ଅନୁକୋଣେ ସଂଗୀତର ସ୍ରୋତ ବହିଚାଲେ ଓ ଏହା ମଧ୍ୟ ନଟରାଜଙ୍କ ନିଜସ୍ୱ ନଗରୀ । ସମସ୍ତ କଳା ଓ କୃତିର ଉତ୍ସ ବୋଲି ମହାଦେବଙ୍କୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭରତ ମୁନିଙ୍କ ଭଳି ଋଷିଗଣ କଳାର ସ୍ୱରୂପକୁ ବିକଶିତ କରାଇଥିଲେ । କାଶୀରେ ସବୁ ଜିନିଷରେ ସଂଗୀତ କଳାର ଛାପ ରହିଛି ।

Related Articles

Leave a Reply

Your email address will not be published.

Back to top button