ଗ୍ଲୋବାଲ ଓ୍ବାର୍ମିଂକୁ ନେଇ ୩୨ଟି ଦେଶ ବିରୋଧରେ କୋର୍ଟରେ ମାମଲା ଦାୟର କଲେ ୬ପର୍ତ୍ତୁଗୀଜ

ଲିସବନ,୨୧।୯: ବିଶ୍ୱତାପନ ବା ଗ୍ଲୋବାଲ ଓ୍ବାର୍ମିଂ ପ୍ରସଙ୍ଗରେ ସଠିକ୍‌ ପଦକ୍ଷେପ ନ ନେବାରୁ ୩୨ଟି ଦେଶ ବିରୋଧରେ କୋର୍ଟରେ ମକଦ୍ଦମା ଦାଖଲ କରାଯାଇଛି। ୬ଜଣ ପର୍ତ୍ତୁଗୀଜ ଯୁବକ ଏନେଇ ୟୁରୋପୀୟ ମାନବିକ ଅଧିକାର କୋର୍ଟରେ ଅଭିଯୋଗ କରିଛନ୍ତି। ୨୦୧୭ରେ ଜଳବାୟୁ ପରିବର୍ତ୍ତନ ଯୋଗୁ ପର୍ତ୍ତୁଗାଲରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ଏବଂ ଦେଶର ଅନେକାଂଶ ଜଳି ଯାଇଥିଲା। ଏପ୍ରସଙ୍ଗରେ ଅଭିଯୋଗ ଆଣିଥିବା ଯୁବକମାନେ କହିଛନ୍ତି ଯେ, ସେମାନେ ନିଜ ସ୍ବାସ୍ଥ୍ୟ ପାଇଁ ବହୁତ ଚିନ୍ତିତ। ସେମାନଙ୍କୁ ଅଧିକ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଜଳବାୟୁ ପରିବର୍ତ୍ତନ ସହ ବଞ୍ଚିବାକୁ ପଡୁଛି। ଏହାଦ୍ୱାରା ସେମାନଙ୍କର ଅଧିକାର କ୍ଷୁର୍ଣ୍ଣ ହେଉଛି। ଅଗ୍ନିକାଣ୍ଡ ସମୟରେ ଓ ପରେ ଆଲର୍ଜି ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଛି। ଭବିଷ୍ୟତରେ ପୃଥିବୀ ଏହିପରି ଭାବେ ଉଷ୍ମ ରହିଲେ ଅବସ୍ଥା ଖରାପ ହେବାର ଆଶଙ୍କା ରହିଛି। ଏହି ମାମଲାର ଶୁଣାଣି ସେପ୍ଟେମ୍ବର ୨୭ରେ ହେବ। ଅତ୍ୟଧିକ ଅଙ୍ଗାରକାମ୍ଳ ନିର୍ଗମନ ଯୋଗୁ ବିଶ୍ୱ ତାପନ ବଢିବାରେ ଲାଗିଛି ବୋଲି ଯୁବକମାନେ କୋର୍ଟରେ ଦାବି କରିଛନ୍ତି। ଗ୍ଲୋବାଲ ଲିଗାଲ ଆକ୍ସନ ନେଟୱାର୍କ (ଜିଏଲଏଏନ)ର ନିର୍ଦ୍ଦେଶକ ଗିଅରଏଡ ଓ’କ୍ୟୁଇନ ଏହାକୁ ସମର୍ଥନ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button