ଘୁଞ୍ଚିଲା ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର: ବାଚସ୍ପତି ନିର୍ବାଚନ ତାରିଖକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯିବା ପରେ ଶେଷରେ ସରକାର ମୁଣ୍ଡ ନୂଆଇଛନ୍ତି । ନିର୍ବାଚନ ତାରିଖକୁ ପରିବର୍ତ୍ତନ କରାଯିବା ନେଇ ବାରମ୍ବାର ଦାବି କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଉଭୟ କଂଗ୍ରେସ ଓ ବିଜେପି ବାଚସ୍ପତି ନିର୍ବାଚନକୁ ବୟକଟ କରିବାକୁ ଘୋଷଣା କରିଥିଲେ । ତେବେ ଶେଷରେ ରାଜ୍ୟ ସରକାର ବିରୋଧୀଙ୍କ ଦାବିକୁ ମାନିନେଇଛନ୍ତି । ଆଉ ବାଚସ୍ପତି ନିର୍ବାଚନ ତାରିଖକୁ ଦିନଟିଏ ଘୁଞ୍ଚାଇ ଦେଇଛନ୍ତି । ଏଣିକି ୨୧ ପରିବର୍ତ୍ତେ ୨୨ ତାରିଖ ଦିନ ବାଚସ୍ପତି ନିର୍ବାଚନ ହେବ ବୋଲି ଜଣାଯାଇଛି । ତେବେ ନିର୍ବାଚନ ପାଇଁ ୨୧ ତାରିଖ ଦିନ ନାମାଙ୍କନ ଦାଖଲ କରାଯିବ । ଆସନ୍ତା ୨୨ ତାରିଖ ସକାଳ ୯.୩୦ରେ ନିର୍ବାଚନ ହେବ ।
ଖବର ଅନୁଯାୟୀ, ସେପ୍ଟେମ୍ବର ୨୧ରେ ବାଚସ୍ପତି ନିର୍ବାଚନ ହେବା ନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେପ୍ଟେମ୍ବର ୨୨ରେ ବିଧାନସଭାର ମୌସୁମୀ ଅଧିବେଶନ ବସିବ । ଏହାପୂର୍ବରୁ ବାଚସ୍ପତି ନିର୍ବାଚନ ହେବା ନେଇ ନିଷ୍ପତ୍ତି ହୋଇଥିଲା । ଯାହାପରେ ରାଜ୍ୟରେ ଆରମ୍ଭ ହୋଇଥିଲା ରାଜନୈତିକ ବୟାନବାଜି । କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବାଚସ୍ପତି ନିର୍ବାଚନକୁ ବୟକଟ କରିବେ ବୋଲି ଗତ ଗୁରୁବାର କହିଥିଲେ । କେବଳ ସେ ନୁହନ୍ତି କଂଗ୍ରେସର କୌଣସି ବିଧାୟକ ବାଚସ୍ପତି ନିର୍ବାଚନରେ ଭାଗ ନେବେ ନାହିଁ ବୋଲି ଶ୍ରୀ ମିଶ୍ର କହିଥିଲେ । ଶ୍ରୀ ମିଶ୍ର କହିଥିଲେ ଯେ ନୂଆଖାଇ ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ପର୍ବ । ଏହା ୨ ଦିନ ଧରି ପାଳିତ ହାଇଥାଏ । କିନ୍ତୁ ଦୁର୍ଭାଗ୍ୟର କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ ତାରିଖରେ ବିଧାନସଭା ଡାକିଛନ୍ତି । ପ୍ରତିବାଦ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ଯାହା ପଶ୍ଚିମଓଡ଼ିଶା ପ୍ରତି ଉପହାସ । ପଶ୍ଚିମଓଡ଼ିଶାବାସୀଙ୍କ ଭାବାବେଗ ସହ ଖେଳାଯାଉଛି ବୋଲି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଥିଲେ ।
ସେହିପରି ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ନାଉରୀ ନାଏକ କହିଥିଲେ ଯେ ନୂଆଖାଇ ସମୟରେ ନିର୍ବାଚନ ହେଉଥିବାରୁ ବିଜେପି ବର୍ଜନ କରିବ । ବାଚସ୍ପତି ନିର୍ବାଚନ ତାରିଖ ବଦଳାଇବାକୁ ଦାବି ହେଉଥିଲେ ବି ସରକାର ଶୁଣିଲେନି । ପଶ୍ଚିମ ଓଡ଼ିଶାବାସୀ ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ବିରୋଧୀ ଦଳ ନେତା ଓ ଦଳର ନିଷ୍ପତ୍ତିକ୍ରମେ ବିଜେପି ବାଚସ୍ପତି ନିର୍ବାଚନକୁ ବୟକଟ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ନାୟକ କହିଥିଲେ । ତେବେ ବିରୋଧୀଙ୍କ ଦାବି ପରେ ସରକାର ବାଚସ୍ପତି ନିର୍ବାଚନକୁ ମାତ୍ର ଦିନକ ପାଇଁ ଘୁଞ୍ଚାଇ ଦେଇଛନ୍ତି ।