ଅଷ୍ଟ୍ରେଲିଆରେ ପଢ଼ିବେ କେନ୍ଦୁଝରର ୫ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଅଷ୍ଟ୍ରେଲିଆରେ ପଢ଼ିବେ କେନ୍ଦୁଝରର ୫ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ । ସେମାନେ ହେଉଛନ୍ତି ମିନର୍ଭା ସାହୁ, ଅଦ୍ୱିକ୍ କୁମାର, ଆକିବ୍ ଅହମ୍ମଦ, ଗିତିଶ୍ ଶେଖର ନାୟକ ଓ ସରୋଜ କୁମାର ବିଶ୍ୱକର୍ମା । କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ମାଇନିଂ ଇଞ୍ଜିନିୟରିଂରେ ସଫଳତାର ସହ ବିଟେକ୍ ପାସ୍ କରିଥିବା ଏହି ମେଧାବୀ ଛାତ୍ରଛାତ୍ରୀମାନେ ବିଶ୍ୱର ଅନ୍ୟତମ ସୁନାମଧନ୍ୟ କର୍ଟିନ୍ ବିଶ୍ୱବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂରେ ଉଚ୍ଚଶିକ୍ଷା ଲାଭ କରିବେ । ଏଥିପାଇଁ କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ଅଷ୍ଟ୍ରେଲିଆରେ ରହଣୀ ଓ ଯାତାୟାତ ବାବଦକୁ ସମସ୍ତ ଖର୍ଚ୍ଚ ବହନ କରିବ । ସୋମବାର ୫ଜଣ ଛାତ୍ରଛାତ୍ରୀ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଶୀର୍ବାଦ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ୱେଷ୍ଟ୍ ଅଷ୍ଟ୍ରେଲିଆନ୍ ସ୍କୁଲ୍ ଅଫ୍ ମାଇନ୍ସ ସହ କେନ୍ଦୁଝର ଜିଲ୍ଲା ପ୍ରଶାସନର ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ପର୍ଥ ଏବଂ ପଶ୍ଚିମ ଅଷ୍ଟ୍ରେଲିଆର ଐତିହାସିକ ଖଣି ସହର କଲଗୁର୍ଲିରେ ଏହାର କ୍ୟାମ୍ପସ୍ ରହିଛି । ସେଠାରେ ଖଣିଭିତ୍ତିକ ଗବେଷଣାର ପର୍ଯ୍ୟାପ୍ତ ସୁଯୋଗ ରହିଛି । ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଉଦ୍ୟୋଗମାନଙ୍କରେ ଛାତ୍ରଛାତ୍ରୀଙ୍କୁ ନିୟୋଜନ କରିବାରେ ଏହି ସ୍କୁଲର ଭଲ ଟ୍ରାକ୍ ରେକର୍ଡ଼ ମଧ୍ୟ ରହିଛି । ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ବିଭିନ୍ନ ଉଦ୍ୟୋଗମାନଙ୍କର ସହ ସମ୍ପର୍କ, ଉଚ୍ଚ-ପ୍ରଭାବ ଅନୁସନ୍ଧାନ ଏବଂ ନବୀନ ପାଠ୍ୟକ୍ରମର ବିସ୍ତୃତ ଶୃଙ୍ଖଳା ପାଇଁ ଏହା ସମଗ୍ର ବିଶ୍ୱରେ ପରିଚିତ । ଏହି ଶିକ୍ଷାନୁଷ୍ଠାନ ଲଗାତାର ୭ ବର୍ଷ ଧରି ମିନେରାଲ୍ ଓ ମାଇନିଂ ଇଞ୍ଜିନିୟରିଂ ଶିକ୍ଷାଦାନ କ୍ଷେତ୍ରରେ କ୍ୟୁଏସ୍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂରେ ଦ୍ୱିତୀୟ ସ୍ଥାନ ଅଧିଗ୍ରହଣ କରିଆସୁଛି । ଏଠାରେ ଅଧ୍ୟୟନ କରିବା ପାଇଁ କେନ୍ଦୁଝର ଜିଲ୍ଲାରୁ ଯେଉଁ ୫ ଛାତ୍ରଛାତ୍ରୀଙ୍କ ଚୟନ ହୋଇଛି । ମାଇନିଂ ଇଞ୍ଜିନିୟରିଂ କ୍ଷେତ୍ରରେ ସେମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ କରାଇ ସେମାନଙ୍କୁ ଭବିଷ୍ୟତରେ ନିଜ ଅଞ୍ଚଳର ବିକାଶରେ ନିୟୋଜନ କରାଇବା ଏବଂ ନେତୃତ୍ୱ ନେବାର ସୁଯୋଗ ଦେବା ହେଉଛି ଜିଲ୍ଲା ପ୍ରଶାସନର ମୂଳ ଉଦ୍ଦେଶ୍ୟ । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସାକ୍ଷାତ ସମୟରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଓ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button