ସ୍ୱଭାବକବିଙ୍କ ପାଇଁ ଡାକ ଟିକଟ ପ୍ରକାଶ ହେଉ

ଭୁବନେଶ୍ବର: ଗଙ୍ଗାଧର ମେହେର ସ୍ମୃତି କମିଟି ପକ୍ଷରୁ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ୧୬୨ତମ ଓ କବିପୁତ୍ର ଭଗବାନ ମେହେରଙ୍କ ୧୩୨ ତମ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ମେହେର ଜୟନ୍ତୀ ସମାରୋହ ସ୍ଥାନୀୟ ବୁଦ୍ଧ ମନ୍ଦିରରେ ସ୍ମୃତି କମିଟିର ଅଧକ୍ଷ ସଞ୍ଜିବ ଚନ୍ଦ୍ର ହୋତାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନରେନ୍ଦ୍ର କୁମାର ମିଶ୍ରଙ୍କୁ ଗଙ୍ଗାଧର ମେହେର ସମ୍ମାନ ଓ ମନୋଜ କୁମାର ମେହେରଙ୍କୁ କବିପୁତ୍ର ଭଗବାନ ମେହେର ସମ୍ମାନ ପ୍ରଦାନ କରାଯାଇ ଥିଲା । ବିଧାୟକ ସୈାମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସ୍ୱଭାବକବି ଗଙ୍ଗାଧର ମେହେର ଧନରେ ଗରିବ ହୋଇ ପାରନ୍ତି ମାତ୍ର ଜ୍ଞାନରେ ସେ କେବେ ଗରିବ ନଥିଲେ ।

ସ୍ୱଭାବକବିଙ୍କ ଆସନ୍ତା ବର୍ଷ ୧୦୦ ତମ ଶ୍ରଦ୍ଧ ଦିବସ ଉପଲକ୍ଷେ ଏକ ଡାକ ଟିକଟ ପ୍ରକାଶ କରିବାକୁ ସଭାରେ ପ୍ରସ୍ତାବ ଗୃହିତ ହୋଇଥିଲା । ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ସମ୍ମାନୀତ ଅତିଥି ଓ ପୀତବାସ ରାଉତରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସ୍ୱଭାବକବିଙ୍କ ଗୁଣଗାନ କରିଥିବା ବେଳେ ମହେନ୍ଦ୍ର କୁମାର ମେହେର କବିପୁତ୍ର ଭଗବାନ ମେହେରଙ୍କ ବିଷୟରେ ଆଲୋଚନା କରିଥିଲେ । ଗଙ୍ଗାଧର ମେହେର ପ୍ରତିଷ୍ଠାନର ଅଧକ୍ଷ ତଥା ସ୍ମୃତି କମିଟିର ଆବାହକ ମିହିର ମେହେର ସ୍ୱାଗତ ଭାଷଣ ଦେଇଥିବା ବେଳେ ଗଙ୍ଗାଧର ମେହେର ସ୍ମୃତି କମିଟିର ସମ୍ପାଦକ ତଥା ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ଅତିଥି ପରିଚୟ ଓ ଧନ୍ୟବାଦ ପ୍ରଦାନ କରିଥିଲେ ।

Related Articles

Leave a Reply

Your email address will not be published.

Back to top button