ମମତାଙ୍କୁ ଆକ୍ରମଣ ଘଟଣା

୨ ଆଇପିଏସ୍ ସସପେଣ୍ଡ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ନନ୍ଦିଗ୍ରାମରେ ହୋଇଥିବା ଆକ୍ରମଣ ଘଟଣାରେ ନିର୍ବାଚନ କମିଶନ (ଇସି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସୁରକ୍ଷା ଢ଼ିଲା କରିବା ଆରୋପ ଲଗାଇ ୨ ଜଣ ଆଇପିଏସ ଅଫିସରଙ୍କୁ ସସପେଣ୍ଡ କରିଛନ୍ତି। ସୁରକ୍ଷା ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ବିବେକ ସହାୟଙ୍କୁ ସସପେଣ୍ଡ କରାଯିବା ସହ ତାଙ୍କ ବିରୋଧରେ ସପ୍ତାହକ ମଧ୍ୟରେ ଚାର୍ଜଫ୍ରେମ କରିବାକୁ ଇସି କହିଛନ୍ତି। ମମତାଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଉଥିଲା ବେଳେ କିପରି ତାଙ୍କ ଉପରେ ଆକ୍ରମଣ ହେଲା, ସେଥିପାଇଁ ବିବେକ ସହାୟଙ୍କୁ ଦୋଷାରୋପ କରାଯାଇ କାର୍ଯ୍ୟାନୁଷ୍ଠାନ ହୋଇଛି। ଏଥିସହ ନିର୍ବାଚନ କମିଶନ ପୂର୍ବ ମେଦିନିପୁର ଏସପି ପ୍ରବୀଣ ପ୍ରକାଶଙ୍କୁ ମଧ୍ୟ ବ୍ୟବସ୍ଥାଗତ ତ୍ରୁଟି ପାଇଁ ସସପେଣ୍ଡ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ୧୫ ଦିନ ଭିତରେ ଏହି ଦୁଇ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରିପୋର୍ଟ କରିବାକୁ ନିର୍ବାଚନ କମିଶନ ନିର୍ଦେଶ ଦେଇଛନ୍ତି। ଏଥିସହ ନିର୍ବାଚନ କମିଶନ ପୂର୍ବ ମେଦିନିପୁର ଜିଲ୍ଲାର ଜିଲ୍ଲାପାଳ ବିଭୁ ଗୋଏଲଙ୍କୁ ବଦଳି କରିଛନ୍ତି। ଆଇଏଏସ ସ୍ମିତା ପାଣ୍ଡେଙ୍କୁ ଜିଲ୍ଲାପାଳ ଦାୟିତ୍ବ ସହ ଜିଲ୍ଲା ନିର୍ବାଚନ ଅଧିକାରୀ ଦାୟିତ୍ବ ପାଇଁ ରବିବାର ଇସି ନିର୍ଦେଶ ଦେଇଛନ୍ତି। ମାର୍ଚ୍ଚ ୩୧ ସୁଦ୍ଧା ନନ୍ଦିଗ୍ରାମ ଘଟଣା ନେଇ ରିପୋର୍ଟ କରିବାକୁ ପୋଲ ପ୍ୟାନେଲ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। ଏଥିସହ ଷ୍ଟାର କ୍ୟାମ୍ପେନରମାନଙ୍କୁ ନିର୍ବାଚନ ଆଚରଣବିଧି ଭିତରେ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ଯେପରି ଭାବେ ସେମାନେ ବ୍ୟବହାର କରୁଥିବା କାର ଓ ହେଲିକପ୍ଟର ପାଖକୁ ସାଧାରଣ ଲୋକେ ଯାଇ ନ ପାରିବେ, ସେଥିପ୍ରତି ସେମାନେ ନିଜେ ମଧ୍ୟ ଧ୍ୟାନ ଦେବା ଉଚିତ ବୋଲି କୁହାଯାଇଛି।

Related Articles

Leave a Reply

Your email address will not be published.

Back to top button