ଖୁବ୍‌ଶୀଘ୍ର ଦିଆଯିବ ୩ ବର୍ଷର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଦିଆଯିବ ଗତ ୩ ବର୍ଷର “ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’ । ଏନେଇ ଆବେଦନ ଲାଗି ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୦-୨୧-୨୨ ମସିହା ପର୍ୟ୍ୟନ୍ତ ୩୨, ୩୩ ଓ ୩୪ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଏହି ଦରଖାସ୍ତ ଆହ୍ୱାନ କରାଯାଇଛି । ଆଗ୍ରହୀ ପ୍ରଯୋଜକମାନେ ଆସନ୍ତା ୨୦ ତାରିଖ ସୁଦ୍ଧା ସେମାନଙ୍କ ଦ୍ୱାରା ପ୍ରଯୋଜିତ ମୌଳିକ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ଏଣ୍ଟ୍ରି ଫର୍ମ ଓ ମନୋନୟନ ପତ୍ର ପୂରଣ କରି ସଂସ୍କୃତି ବିଭାଗର ୱେବସାଇଟ୍‌ରେ ଦର୍ଶାଯାଇଥିବା କାଗଜପତ୍ର ସହ ଆବେଦନ କରିବେ । ଆବଶ୍ୟକୀୟ କାଗଜପତ୍ର ତଥା ଚଳଚ୍ଚିତ୍ରର ସଫ୍ଟ କପି ଥିବା ପେନ୍‌ଡ୍ରାଇଭ୍‌ ସଂସ୍କୃତି ବିଭାଗ ନିର୍ଦ୍ଦେଶାଳୟ କାର୍ୟ୍ୟାଳୟରେ ପୋଷ୍ଟ, ସ୍ପିଡ୍‌ ପୋଷ୍ଟ ଓ ରେଜିଷ୍ଟରେଡ୍‌ ପାର୍ସଲ ମାଧ୍ୟମରେ ଦାଖଲ କରିପାରିବେ ।

ଓଡ଼ିଆ ଚଳଚ୍ଚିତ୍ର ଉପରେ ଓଡ଼ିଆ ବା ଇଂରାଜୀ ଭାଷାରେ ଲିଖିତ ଶ୍ରେଷ୍ଠ ଲେଖା ପାଇଁ ପୁରସ୍କାର ନିମନ୍ତେ ଆଗ୍ରହୀ ଲେଖକ/ଲେଖିକାମାନେ ବିଭାଗର ୱେବସାଇଟ୍‌ରେ ଉପଲବ୍ଧ ଥିବା ଆବେଦନ ଫର୍ମରେ ଆବେଦନ କରିପାରିବେ । ଏଥିପାଇଁ ୧୦ ଖଣ୍ଡ ଲେଖା (ବହି/ମନୋଗ୍ରାଫ୍‌) ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ଦାଖଲ କରିବାକୁ ସଂସ୍କୃତି ନିର୍ଦ୍ଦେଶକ ବିଜ୍ଞପ୍ତି ଜାରି କରିଛନ୍ତି । ଅନ୍ୟପଟେ କରୋନା କଟକଣା ଯୋଗୁଁ ୨୦୨୦ ମସିହାରେ କମ୍‌ ସଂଖ୍ୟକ ଚଳଚ୍ଚିତ୍ର ନିର୍ମାଣ ହୋଇଥିବାରୁ ଆବଶ୍ୟକ ସ୍ଥଳେ ୨୦୨୦ ଓ ୨୦୨୧ ବର୍ଷ ନିମନ୍ତେ ଗୋଟିଏ ପୁରସ୍କାର ପ୍ରଦାନ କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ସର୍ତ୍ତାବଳୀ ଅନୁସାରେ, ୩୨ତମ “ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୦’ , ୩୩ତମ “ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର- ୨୦୨୧’ ଏବଂ “୩୪ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୨’ ରେ ଭାଗ ନେବାକୁ ଚାହୁଁଥିବା ଚଳଚ୍ଚିତ୍ରଗୁଡ଼ିକ ଯଥାକ୍ରମେ ୨୦୨୦, ୨୦୨୧ ଓ ୨୦୨୨ ମସିହା ଜାନୁଆରି ପହିଲାରୁ ଡିସେମ୍ବର ୩୧ ଅବଧି ମଧ୍ୟରେ ନିର୍ମିତ ହୋଇଥିବା ଦରକାର । କେବଳ ଓଡ଼ିଆ ଭାଷା ଓ ଓଡ଼ିଆ ଜନଜାତି ଭାଷାରେ ରାଜ୍ୟରେ ନିର୍ମିତ ମୌଳିକ ଚଳଚ୍ଚିତ୍ରଗୁଡ଼ିକୁ ପୁରସ୍କାର ପାଇଁ ଦାଖଲ କରାଯାଇପାରିବ । କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା ପ୍ରାଧିକୃତ ଏଜେନ୍‌ସି ଦ୍ୱାରା ଶ୍ରେଷ୍ଠ ଆଦିବାସୀ ଭାଷା ଚଳଚ୍ଚିତ୍ର, ଶ୍ରେଷ୍ଠ ଶିଶୁଭିତ୍ତିକ ଚଳଚ୍ଚିତ୍ର, ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଚଳଚ୍ଚିତ୍ର ଓ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ପୁରସ୍କାର ବ୍ୟତୀତ ଅନ୍ୟ କୌଣସି ଚଳଚ୍ଚିତ୍ର ପୁରସ୍କାର ପାଇଁ ବିବେଚନା କରାଯିବ ନାହିଁ ।

Related Articles

Leave a Reply

Your email address will not be published.

Back to top button