ବାୟୁସେନା ସାମିଲ କରିବ ରାଫେଲ୍‌ ଲଢୁଆ ବିମାନର ଦ୍ୱିତୀୟ ‘ସ୍କ୍ଵାଡ୍ରନ୍‌’

ନୂଆଦିଲ୍ଲୀ: ଚୀନ୍‌ ସୀମାବର୍ତ୍ତୀ ପୂର୍ବାଞ୍ଚଳରେ ନିଜର ସ୍ଥିତି ସୁଦୃଢ଼ କରିବା ଲାଗି ଆଗାମୀ ଏପ୍ରିଲ୍‌ ମଧ୍ୟ ଭାଗ ବେଳକୁ ଭାରତୀୟ ବାୟୁସେନା ରାଫେଲ୍‌ ଲଢୁଆ ବିମାନର ଦ୍ୱିତୀୟ ‘ସ୍କ୍ଵାଡ୍ରନ୍‌’ (ଏକାଧିକ ବିମାନ ଓ ତା’ର କର୍ମଚାରୀ) ସାମିଲ କରିବ। ଏହି ‘ସ୍କ୍ଵାଡ୍ରନ୍‌’କୁ ପଶ୍ଚିମବଙ୍ଗରେ ଥିବା ହାଶିମାରା ବିମାନ ଘାଟିରେ ସାମିଲ କରାଯିବ। ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ମେ ମାସରେ ବାୟୁସେନା ହାଶିମାରାରୁ ଏହି ଲଢୁଆ ବିମାନର ଉଡ଼ାଣ ଆରମ୍ଭ କରିବ। ଫ୍ରାନ୍‌ସ୍‌ରେ ଚାଲିଥିବା ଲଢୁଆ ପାଇଲଟ୍‌ମାନଙ୍କର ତାଲିମ ମଧ୍ୟ ଏହି ସମୟ ମଧ୍ୟରେ ଶେଷ ହୋଇଯାଇଥିବ।

ଦ୍ୱିତୀୟ ‘ସ୍କ୍ଵାଡ୍ରନ୍‌’ କାର୍ଯ୍ୟକ୍ଷମ ହେଲା ବେଳକୁ ଭାରତୀୟ ବାୟୁସେନା ପାଖରେ ଆହୁରି ୨୦ରୁ ଅଧିକ ରାଫେଲ୍‌ ଲଢୁଆ ବିମାନ ପହଞ୍ଚି ସାରିଥିବ। ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ମାସରେ ଭାରତୀୟ ବାୟୁସେନାର ଅମ୍ବାଲା ବିମାନ ଘାଟିରେ ୫ଟି ରାଫେଲ୍‌ ଲଢୁଆ ବିମାନ ସାମିଲ କରାଯାଇଥିଲା। ବହୁମୁଖୀ ଭୂମିକା ନିର୍ବାହ କରିବାରେ ସମର୍ଥ ରାଫେଲ୍‌ ଜେଟ୍‌ର ନିର୍ମାତା ହେଉଛି ଫ୍ରାନ୍‌ସ୍‌ର ପ୍ରମୁଖ ବ୍ୟୋମଯାନ ନିର୍ମାଣକାରୀ କମ୍ପାନି ‘ଡାସୋ ଏଭିଏସନ୍‌’। ଗତବର୍ଷ ଜୁଲାଇ ୨୯ ତାରିଖ ଦିନ ପ୍ରଥମ ଛେକରେ ୫ଟି ରାଫେଲ୍‌ ଲଢୁଆ ବିମାନ ଭାରତରେ ପହଞ୍ଚିଥିଲା। ଗୋଟିକୁ ୫୯,୦୦୦ କୋଟି ଟଙ୍କା ଦରରେ ୩୬ଟି ରାଫେଲ୍‌ ଲଢୁଆ ବିମାନ ଖରିଦ କରିବା ପାଇଁ ଭାରତ ଓ ଫ୍ରାନ୍‌ସ୍‌ ସରକାରଙ୍କ ମଧ୍ୟରେ ରାଜିନାମା ସ୍ୱାକ୍ଷର ହେବାର ପ୍ରାୟ ୪ ବର୍ଷ ପରେ ପ୍ରଥମ ୫ଟି ବିମାନ ଭାରତରେ ପହଞ୍ଚିଥିଲା। ୨୦୨୨ ସୁଦ୍ଧା ଫ୍ରାନ୍‌ସ୍‌ ଭାରତକୁ ୩୬ଟି ରାଫେଲ୍‌ ଲଢୁଆ ବିମାନ ଯୋଗାଇ ଦେବ। ଏଥିରୁ ୩୦ଟି ଲଢୁଆ ବିମାନ ଭାବେ କାର୍ଯ୍ୟ କରିବେ ଓ ବାକି ୬ଟି ତାଲିମ୍‌ ଦେବାରେ ବ୍ୟବହାର କରାଯିବ। ଅମ୍ବାଲା ଓ ହାଶିମାରା ବିମାନ ଘାଟିର ‘ସ୍କ୍ଵାଡ୍ରନ୍‌’ରେ ୧୮ଟି ଲେଖାଏଁ ରାଫେଲ୍‌ ଜେଟ୍‌ ରହିବ।

Related Articles

Leave a Reply

Your email address will not be published.

Back to top button