ଭୁବନେଶ୍ୱର ଷ୍ଟେସନରେ ତେଜସ ରେକ୍ ଯୁକ୍ତ ରାଜଧାନୀ ଏକ୍ସପ୍ରେସ୍ ଉଦ୍ଘାଟିତ
ଭୁବନେଶ୍ୱର : ମୋଦି ସରକାରରେ ଓଡ଼ିଶା ପାଇଁ ରେଳ ଅନୁଦାନ, ନୂଆ ରେଳ ଲାଇନ, ଯାତ୍ରୀ ସୁବିଧା ସହ ଆନୁଷଙ୍ଗିକ କାର୍ଯ୍ୟ ଅପେକ୍ଷା ଠାରୁ ଅଧିକ ହୋଇଛି ବୋଲି ସୋମବାର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଅତ୍ୟାଧୁନିକ ତେଜସ୍ ରେକ୍ ଯୁକ୍ତ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ସ୍ୱାଧୀନତ୍ତୋର ଭାରତରେ ମୋଦି ସରକାରରେ ୩୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ଭୁବନେଶ୍ୱର ରେଳ ଷ୍ଟେସନର ନବେକଳେବର ହେଉଛି । ଓଡ଼ିଶାର କଟକ, ପୁରୀ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା, ଭଦ୍ରକ, ବାଲେଶ୍ୱର ରେଳ ଷ୍ଟେସନର ନବୀକରଣ କାମ ହେଉଛି । ନିକଟରେ ପ୍ରଧାନମନ୍ତ୍ରୀଙ୍କ କରମକମଳରେ ପ୍ରଥମ ପର୍ଯ୍ୟାୟରେ ୨୫ଟି ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ ହୋଇଥିବାବେଳେ ମୋଟ ୫୭ଟି ଷ୍ଟେସନର ନବୀକରଣ ପାଇଁ ଯୋଜନା କରାଯାଇଛି । ସବୁ ରେଳ ଲାଇନର ବିଦ୍ୟୁତିକରଣ ହୋଇଛି । ରେଳବାଇ ବିଭାଗରେ ସ୍ୱଚ୍ଛତା ବଢିଛି । ମୋଦିଜୀଙ୍କ ‘ବିକଶିତ ଭାରତ’ରେ ଯାତ୍ରୀ ସୁବିଧା ମହତ୍ତ୍ୱପୂର୍ଣ୍ଣ ହୋଇଛି । ଓଡ଼ିଶା ପାଇଁ ରେଳ ଅନୁଦାନ, ନୂଆ ରେଳ ଲାଇନ ଚଳାଚଳ ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଦିଲ୍ଲୀକୁ ଯାଇ ଲଢ଼େଇ କରିବାକୁ ପଡୁଥିଲା । ମାତ୍ର ଆଜି ମୋଦି ସରକାରରେ ତାହା ସହଜ ହୋଇଛି । ପ୍ରଧାନମନ୍ତ୍ରୀ ଆଗାମୀ ୨୫ ବର୍ଷରେ ବିକଶିତ ଭାରତ କରିବା ଆହ୍ୱାନ କରିଛନ୍ତି । ଆଜି ଯେଉଁ କାର୍ଯ୍ୟକ୍ରମ ହେଉଛି ତାହା ବିକଶିତ ଭାରତରେ ଆଗକୁ ଯିବାର ଅନ୍ୟତମ ପଦକ୍ଷେପ । ଏହି ତେଜସ୍ ରେକ୍ ଲାଗିବା ପରେ ରାଜଧାନୀ ଏକ୍ସପ୍ରେସ୍ ଘଣ୍ଟା ପ୍ରତି ୨୦୦ କି.ମି. ବେଗରେ ଚାଲିବ । ଟ୍ରେନ୍ରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ରହିଛି । ଏହାବ୍ୟତିତ ଶ୍ରୀ ପ୍ରଧାନ କହିଛନ୍ତି ଯେ ମେଟ୍ରୋ ଭାରତ ସରକାରଙ୍କ ଅର୍ବାନ ଡେଭଲପମେଣ୍ଟ ଓ ସମ୍ବନ୍ଧିତ ରାଜ୍ୟ ସରକାର ମିଶି କରୁଛନ୍ତି । ଓଡ଼ିଶାରେ ବନ୍ଦେ ମେଟ୍ରୋ ଚାଲିବା ପାଇଁ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଶ୍ୱସ୍ତ କରିଛନ୍ତି । ତେବେ ମେଟ୍ରୋ ଓଡ଼ିଶାକୁ ଆସୁ, କିନ୍ତୁ ଆସିବା ପାଇଁ ସଠିକ୍ ପ୍ରୟାସ ହେଉ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।
କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବ ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ତେଜସ୍ କୋଚ୍ ସହିତ ଚଳାଚଳକୁ ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ଆୟୋଜିତ ସଭାରେ ଯୋଗଦାନ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ତେଜସ୍ କୋଚ୍ ସହିତ ରାଜଧାନୀ ଏକ୍ସପ୍ରେସ୍ ଚଳାଚଳ ଦ୍ୱାରା ଉନ୍ନତ ଆଧୁନିକ ଆରାମଦାୟକ ଉପଲବ୍ଧି ସହିତ ଟ୍ରେନ୍ ଯାତ୍ରା ଅଭିଜ୍ଞତାର ନୂତନ ଦିଗନ୍ତ ଉପଲବ୍ଧ ହେବ । ଏହି ଅବସରରେ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ କେନ୍ଦ୍ର ସରକାର ଚଳିତ ବର୍ଷ ଓଡିଶାରେ ରେଳବାଇ ଭିତ୍ତିଭୂମି ବିକାଶ ପାଇଁ ୧୦,୦୧୨ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି, ଯାହା ୨୦୧୪ ପୂର୍ବରୁ ମାତ୍ର ୮୦୦-୯୦୦ କୋଟି ଟଙ୍କା ଥିଲା । ଅମୃତ ଭାରତ ଯୋଜନା ମାଧ୍ୟମରେ ଓଡିଶାର ୨୫ ଟି ରେଳ ଷ୍ଟେସନର ବିକାଶମୂଳକ କାର୍ଯ୍ୟ ଆରମ୍ଭ ହୋଇଛି । ଓଡ଼ିଶାରେ ଏବେ ରେଳବାଇର କାର୍ଯ୍ୟ ବିଳମ୍ବିତ ସମ୍ପର୍କରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଲୋକମାନେ କଟକ, ଭୁବନେଶ୍ୱର ଏବଂ ପୁରୀ ରେଳ ଷ୍ଟେସନର ପୁନଃ ବିକାଶର ଉଦାହରଣ ଦେଖିପାରିବେ । ଏହାପୂର୍ବରୁ ଶ୍ରୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନକୁ ଯାଞ୍ଚ କରି ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶ ପାଇଁ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ ।
ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରଦର୍ଶିତ ବିଭାଜନ ଭୟାବହ ସ୍ମୃତି ଦିବସରେ ଆୟୋଜିତ ଫଟୋ ପ୍ରଦର୍ଶନୀକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଶ୍ରୀ ବୈଷ୍ଣବ ମଧ୍ୟ ପରିଦର୍ଶନ କରିଥିଲେ । ପରେ ଶ୍ରୀ ବୈଷ୍ଣବ ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳବାଇ କାର୍ଯ୍ୟାଳୟରେ ଟ୍ରେନ୍ ମ୍ୟାନେଜମେଣ୍ଟ ସେଲ୍ (ଟିଏମସି) ବିଲଡିଙ୍ଗର ଉଦଘାଟନ କରିଥିଲେ । ଖୋର୍ଦ୍ଧା ରୋଡ଼ ପରିସୀମା ମଧ୍ୟରେ ଟ୍ରେନ ମାନଙ୍କର ଚଳାଚଳ ସମ୍ବନ୍ଧରେ ପ୍ରକୃତ ସମୟ ଟ୍ରେନ୍ ସ୍ଥିତି ଖୋର୍ଦ୍ଧା ରୋଡ୍ ସ୍ଥିତ ଟ୍ରେନ୍ ମ୍ୟାନେଜମେଣ୍ଟ ସେଲରୁ ଜଣା ପଡିବ ଯାହା ପୂର୍ବରୁ ଟ୍ରେନର ଆଗମନ ରିପୋର୍ଟ ପାଇବା ପାଇଁ କେବଳ ଷ୍ଟେସନ ମାନଙ୍କରୁ ଉପଲବ୍ଧ ହେଉଥିଲା । ଭୁବନେଶ୍ୱର ସେଣ୍ଟ୍ରାଲ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଭୁବନେଶ୍ୱର ରେଳ ଷ୍ଟେସନରେ ଏହି ଅବସରରେ ଯୋଗଦାନ କରିଥିଲେ । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏଚ୍ ଏସ୍ ବାଜୱା ମଧ୍ୟ ଏହି ଅବସରରେ ମଞ୍ଚରେ ଉପସ୍ଥିତ ଥିଲେ । ଆଜି ଶୁଭାରମ୍ଭ ଦିବସରେ ଏହି ଟ୍ରେନ ଏକ ସ୍ୱତନ୍ତ୍ର ଟ୍ରେନ ଭାବେ ଯାତ୍ରା କରିଛି । ସମ୍ବଲପୁର ମାର୍ଗ ଦେଇ ଚଳାଚଳ କରୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଆସନ୍ତା ଶନିବାରଠାରୁ ତେଜସ୍ କୋଚ୍ ସହିତ ଚଳାଚଳ କରିବ । ଅନ୍ୟ ମାର୍ଗରେ ଚଳାଚଳ କରୁଥିବା ରାଜଧାନୀ ଏକ୍ସପ୍ରେସ ଗୁଡିକରେ ଖୁବ୍ ଶୀଘ୍ର ଅନ୍ୟ ତେଜସ କୋଚ ରେକ ଉପଲବ୍ଧ ପରେ କିଛି ଦିନ ବ୍ୟବଧାନ ମଧ୍ୟରେ ଚଳାଚଳ କରିବ ।