ଟ୍ରାଫିକ ଯୋଗୁ ବେଙ୍ଗାଲୁରୁରେ ପ୍ରତିବର୍ଷ କ୍ଷତି ହେଉଛି ୨୦ ହଜାର କୋଟି

ବେଙ୍ଗାଲୁରୁ : କର୍ନାଟକର ରାଜଧାନୀ ବାଙ୍ଗାଲୋର ଏହାର ବୈଷୟିକ ଶିଳ୍ପ ଏବଂ ଭିଡ଼ ପାଇଁ ଜଣାଶୁଣା । ଏ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ରିପୋର୍ଟରେ କୁହାଯାଇଛି ସହରକୁ ପ୍ରତିବର୍ଷ ପ୍ରାୟ ୨୦ ହଜାର କୋଟି କ୍ଷତି ସହିବାକୁ ପଡୁଛି। ଏହାର କାରଣ ହେଉଛି ଏଠାରେ ଥିବା ଜାମ ଟ୍ରାଫିକ। ଯେଉଁ କାରଣରୁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଜାମରେ ଅଟକି ରହୁଛନ୍ତି। ଏପରି ପରିସ୍ଥିତିରେ ସମୟ କେବଳ ନଷ୍ଟ ହୁଏ ନାହିଁ, ଇନ୍ଧନ ମଧ୍ୟ ଖର୍ଚ୍ଚ ହୁଏ । ଟ୍ରାଫିକ ବିଶେଷଜ୍ଞ ଏମ.ଏନ ଶ୍ରୀହରି ଏବଂ ତାଙ୍କ ଦଳଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରେ ସଡକ ଯୋଜନା, ଫ୍ଲାଏଓଭର, ଟ୍ରାଫିକ ପରିଚାଳନା ଏବଂ ଭିତ୍ତିଭୂମି ଅଭାବ ସହ ଜଡିତ ସମସ୍ୟାଗୁଡିକ ଉପରେ ଦୃଷ୍ଟି ଦିଆଯାଇଥିଲା। ଅଧ୍ୟୟନରେ କୁହାଯାଇଛି ସହରରେ ୬୦ଟି ଫ୍ଲାଏଓଭର ଥାଇ ମଧ୍ୟ ପଥଚାରୀଙ୍କ ପାଇଁ ରାସ୍ତାରେ ସ୍ଥାନ ଅଭାବ, ସିଗନାଲରେ ଯାନବାହନ ଚଳାଚଳ ବନ୍ଦ ହେବା, ଦ୍ରୁତ ଗତିରେ ଯାନବାହନ ଚଳାଚଳ କରିବା ଦ୍ୱାରା, ୧୯,୭୨୫ କୋଟି ଟଙ୍କା କ୍ଷତିଗ୍ରସ୍ତ ହୋଇଛି। ଅଯଥା ଇନ୍ଧନ ଏବଂ ସମୟର ଅପଚୟ ହେଉଛି। ରିପୋର୍ଟରେ କୁହାଯାଇଛି ଆଇଟି କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ଯୋଗୁ ଘର ଏବଂ ଶିକ୍ଷା ଭଳି ସମସ୍ତ ଆନୁଷଙ୍ଗିକ ସୁବିଧା ଏଠାରେ ବିକଶିତ ହୋଇଛି। ଏହା ସହିତ ଜନସଂଖ୍ୟାରେ ୧.୪୫ କୋଟି ବୃଦ୍ଧି ଘଟିଛି। କେବଳ ଏତିକି ନୁହେଁ କର୍ନାଟକର ରାଜଧାନୀରେ ପ୍ରାୟ ୧.୫ କୋଟି ଯାନ ବ୍ୟବହାର କରାଯାଉଛି। ଏହା ସହିତ ସହରର ସମ୍ପ୍ରସାରଣ ଚଳିତ ବର୍ଷ ୮୮ ବର୍ଗ କିଲୋମିଟରରୁ ୯୮୬ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି ବୋଲି ରିପୋର୍ଟରେ କୁହାଯାଇଛି। ସହରର ସମ୍ପ୍ରସାରଣ ୧୧୦୦ ବର୍ଗ କିଲୋମିଟର ପର୍ଯ୍ୟନ୍ତ ହେବା ଉଚିତ ବୋଲି ଅନୁସନ୍ଧାନକାରୀଙ୍କ ଦ୍ୱାରା ପ୍ରସ୍ତାବ ଦିଆଯାଇଛି। ଶ୍ରୀହରି ଏବଂ ତାଙ୍କ ଦଳ କହିଛନ୍ତି ସହରର ଜନସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜନସଂଖ୍ୟା ବୃଦ୍ଧି ସହିତ ଏଠାରେ ରୋଜଗାର ମଧ୍ୟ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଜନସଂଖ୍ୟା ଏବଂ ରୋଜଗାରର ଆଶା କରାଯାଉଥିବା ଗତି ବିଦ୍ୟମାନ ଭିତ୍ତିଭୂମି ବିକାଶ ସହିତ ମେଳ ଖାଉ ନାହିଁ। ଏହି କାରଣରୁ ସହରକୁ ପ୍ରତିବର୍ଷ କୋଟି କୋଟି କ୍ଷତି ସହିବାକୁ ପଡୁଛି।

Related Articles

Leave a Reply

Your email address will not be published.

Back to top button