ମହାଦେବଙ୍କ ପାଇଁ ଚାଲିଛି ମହା ଆରାଧନା

ମନ୍ଦିର ଭିତରେ ଦୀପ ଜାଳିବାକୁ ଅନୁମତି

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମହାଶିବରାତ୍ରୀ। ମହାଦେବଙ୍କ ପାଇଁ ମହା ଆରାଧନା ପାଇଁ ସବୁଠୁ ଚାଲିଚି ପୂଜାର୍ଚ୍ଚନା। କୋଭିଡ୍‌ କଟକଣା ଭିତରେ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଚାଲିଛି ଭୋଲା ଶଙ୍କରଙ୍କ ପୂଜାର୍ଚ୍ଚନା।  ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ, ପୁରୀର ଲୋକନାଥ, ଭଦ୍ରକର ବାବା ଆଖଣ୍ଡଳମଣି, କଟକର ଧବଳେଶ୍ୱର ପୀଠ ସମେତ ରାଜ୍ୟର ବିଭିନ୍ନ ଶିବ ମନ୍ଦିର ହୋଇଛି ଚଳଚଞ୍ଚଳ। ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିର ଭିତରେ ଦୀପ ଜାଳିବା ନେଇ ଭକ୍ତଙ୍କୁ ଅନୁମତି ଦେଇଛି ପ୍ରଶାସନ। ତେବେ ଅଧିକ ଭିଡ଼ ଜମିଲେ ପୁଣି କଟକଣା ଲାଗୁ କରାଯାଇପାରେ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି।

ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରରେ ସକାଳୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ସେଠାରେ ଶ୍ରଦ୍ଧାଳୁମାନେ ପ୍ରଶାସନର କଟକଣା ଭିତରେ ବାବାଙ୍କ ଦର୍ଶନ କରୁଛନ୍ତି। ବାବା ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟା ସୁଦ୍ଧା ମହାଦୀପ ଉଠିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି। କୋରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ଭକ୍ତଙ୍କୁ ମନ୍ଦିରରେ ଦୀପ ଜାଳିବା ନେଇ ଅନୁମତି ମିଳିଛି। ସାମାଜିକ ଦୂରତା ନ ମାନିଲେ ପୁଣି କଟକଣା ଲାଗିପାରେ ବୋଲି କୁହାଯାଇଛି। ନୀତି ନିର୍ଘଣ୍ଟ ଅନୁସାରେ ଯଥା ବିଧି ନୀତିକାନ୍ତି ସମ୍ପନ୍ନ ହୋଇଛି। ପ୍ରାତଃ ୩ଟାରୁ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପାଦନ ହୋଇଛି। ଭୋର୍‌ ୩ଟା ୩୦ରୁ ଦିବା ୧୧ଟା ଯାଏ ସାହାଣମେଲା ଦର୍ଶନ କରିଛନ୍ତି ଭକ୍ତ। ସକାଳ ୬ଟା ୩୦ରେ ରୋଷ ହୋମ। ଦିନ ୧୧ଟାରୁ ୧୨ଟା ଛାମୁ ପରିଷ୍କାର, ଦିନ ୧୨ଟାରୁ ମଧ୍ୟାହ୍ନ ୧୨ଟା ୪୫ ଯାଏ ମହାସ୍ନାନ ଓ ବେଶ ଅନୁଷ୍ଠିତ ହୋଇଛି। ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀଜିଉଙ୍କ ଓ ଠାକୁରାଣୀ ବଲ୍ଲଭ ଏବଂ ଶ୍ରୀଜିଉଙ୍କ ସକାଳ ଧୂପ ନୀତି ମଧ୍ୟାହ୍ନ ୧୨ଟା ୪୫ ରୁ ୨ଟା ୩୦ ଯାଏ ରହିଛି। ସେପଟେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି  ୩୪ ପ୍ଲାଟୁନ ପୋଲିସ୍‌ ଫୋର୍ସ ମୁତୟନ କରାଯିବା ସହ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ୍‌।

Related Articles

Leave a Reply

Your email address will not be published.

Back to top button