ସବୁ ରାଜନୈତିକ ଦଳର ଫୋକସରେ ମହିଳା

ଭୁବନେଶ୍ୱର: ମଣିପୁରରେ ମହିଳାଙ୍କ ଉପରେ ହୋଇଥିବା ବର୍ବରୋଚିତ ନିର୍ଯାତନା ଘଟଣା ଏବେ ସମଗ୍ର ଦେଶରେ ସାମାଜିକ ଲଜ୍ଜାର କାରଣ ପାଲଟିଛି। କେବଳ ସେତିକି ନୁହେଁ ଏହି ପ୍ରସଙ୍ଗ ଏବେ ଦେଶର ରାଜନୀତିରେ ମଧ୍ୟ ଏକ ବଡ଼ ପ୍ରସଙ୍ଗ ପାଲଟିଛି। ଏହି ଘଟଣାକୁ ନେଇ ଦେଶର ସଂସଦରେ ହଙ୍ଗାମା ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ କଡ଼ା ବାର୍ତ୍ତା ଦେଇଛନ୍ତି। ଅନ୍ୟପକ୍ଷରେ ବିଜେପି ନିକଟରେ ପଶ୍ଚିମବଙ୍ଗ, ରାଜସ୍ଥାନ ଏବଂ ସମସ୍ତ ବିରୋଧୀ ରାଜ୍ୟରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ପ୍ରସଙ୍ଗ ଉଠାଇଛି। ରାଜସ୍ଥାନରେ ଅଶୋକ ଗେହଲଟ୍ ସରକାରରେ ଜଣେ ମନ୍ତ୍ରୀ ବିଧାନସଭା ଭିତରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ନିଜ ସରକାରଙ୍କୁ ଘେରିଥିଲେ,ସେତେବେଳେ ତାଙ୍କୁ ବହିଷ୍କାର କରାଯାଇଛି। ମୋଟାମୋଟି ଭାବେ ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ଅଧିକାର ପ୍ରସଙ୍ଗ ପୁଣି ଥରେ ଦେଶର ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଛି। ଏହା ପଛରେ ମଧ୍ୟ କିଛି କାରଣ ରହିଛି। ସାମ୍ପ୍ରତିକ ଘଟଣାବଳୀରୁ ଜଣାପଡ଼ୁଛି ଯେ ଏଭଳି ପ୍ରସଙ୍ଗ କେବଳ ସାମାଜିକ ପ୍ରସଙ୍ଗ ନୁହେଁ, ରାଜନୀତିର ଦିଗ ମଧ୍ୟ ନିର୍ଦ୍ଧାରଣ କରୁଛି। ଗତ ଦେଢ଼ ଦଶନ୍ଧି ମଧ୍ୟରେ ମହିଳା ପରିଚୟ ଓ ନିରାପତ୍ତା ଏବଂ ସାମାଜିକ ପ୍ରସଙ୍ଗ ପରିସରରୁ ବାହାରି ଏବେ ନିର୍ବାଚନର କେନ୍ଦ୍ରବିନ୍ଦୁକୁ ଆସିଛି। ବାସ୍ତବରେ ନିର୍ଭୟା ଆନ୍ଦୋଳନ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦୃଢ଼ ଆଇନ ପ୍ରଣୟନ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା। ନିର୍ଭୟା ମାମଲା ସମୟରେ ରାସ୍ତାରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା। ସାରା ଦେଶରେ ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ। ଏହି ଆନ୍ଦୋଳନର ପରିଣାମ ହେଲା କେନ୍ଦ୍ର ସରକାର ଏକ କଠୋର ଦୁଷ୍କର୍ମ ନିରୋଧୀ ଆଇନ ପ୍ରଣୟନ କଲେ, ଆଇପିସିର ବ୍ୟବସ୍ଥାକୁ ପରିବର୍ତ୍ତନ କରାଗଲା ଏବଂ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଆଇନ ତିଆରି କରାଗଲା।

Related Articles

Leave a Reply

Your email address will not be published.

Back to top button