ଆମେରିକା ଗସ୍ତରେ ୫ଟି ସଚିବ ଭି କେ ପାଣ୍ଡିଆନ, ସାଥିରେ ଗଲେ ସାତଜଣିଆ ଟିମ୍

ଭୁବନେଶ୍ବର: ଓଡିଶାର ବିଭିନ୍ନ ଜିଲ୍ଲା ଗସ୍ତ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆମେରିକା ଗସ୍ତ କରିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ। ସେ ଏକ ସାତ ଜଣିଆ ଟିମ ସହିତ ଏହି ଗସ୍ତ କରିଛନ୍ତି। ଓଡିଶାର ଲୋକଙ୍କ ସହିତ ସିଧା ଅଭିଯୋଗ ଗ୍ରହଣ କରିବା ପରେ ବିଦେଶରେ ଥିବା ଓଡିଆଙ୍କ ସହିତ ରାଜ୍ୟର ଉନ୍ନତି ସଂପର୍କରେ ଆଲୋଚନା କରିବା ପାଇଁ ଏହି ଗସ୍ତ କରିଛନ୍ତି। ଏହି ଦଳରେ ପାଣ୍ଡିଆନଙ୍କ ସହିତ ଅଛନ୍ତି ସାଂସଦ ସୁଜିତ କୁମାର, ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ଆଇଟି ସଚିବ ମନୋଜ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର ଭିନିଲକ୍ରିଷ୍ଣା, ଆଇଟି ବିଭାଗର ସ୍ବତନ୍ତ୍ର ସଚିବ ମାନସ କୁମାର ପଣ୍ଡା ଅଛନ୍ତି। ଏହି ଟିମ ଆମେରିକାର କାଲିଫର୍ଣ୍ଣିଆରେ ଥିବା ସିଲକନ ଭ୍ୟାଲିର କଂପାନୀମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ଆମେରିକାରେ ଗୁଗୁଲ, ଆପଲ, ମେଟା ବା ଫେସବୁକ ପ୍ରଭୃତି ବଡବଡ କଂପାନୀର ଅଧିକାରୀଙ୍କ ସହିତ ଏହି ସିଏମଓ ଆଲୋଚନା କରିବେ। କିପରି ଓଡିଶାରେ ଏହି କଂପାନୀମାନେ ପୁଂଜି ନିବେଶ କରିବେ ସେଥିପାଇଁ ଏହି ଉଚ୍ଚ ସ୍ତରୀୟ ଆଲୋଚନା କରାଯିବ ବୋଲି ଜଣାପଡିଛି। ପୂର୍ବରୁ ନିଜେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ କରି ବହୁ ରାଷ୍ଟ୍ରୀୟ କଂପାନୀମାନଙ୍କ ସହିତ ଆଲୋଚନା କରୁଥିଲେ। ପ୍ରଥମ ଥର ପାଇଁ ବିଦେଶକୁ ସିଏମଓ ଏହି ଗସ୍ତ କରିଛି। କାଲିଫର୍ଣ୍ଣିଆର ପାଲୋଅଲଟୋ ସହରସ୍ଥିତ କ୍ରାଉନ ପ୍ଲାଜା ହୋଟେଲରେ ଆସନ୍ତା ୨୮ତାରିଖ ସନ୍ଧ୍ୟାରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଛି। ଏଥିରେ ପ୍ରାୟ ଏକ ହଜାର ପ୍ରବାସୀ ଓଡିଆ ସାମିଲ ହେବାର କାର୍ଯ୍ୟକ୍ରମ ରଖାଯାଇଛି। ଏହାକୁ ଖୋଦ ଓଡିଶା ସରକାର ଆୟୋଜନ କରିଛନ୍ତି। ସେଠାରେ ରାଜ୍ୟର କିପରି ଉନ୍ନତି ହୋଇପାରିବ ପ୍ରବାସୀ ଓଡିଆଙ୍କ ସହିତ ପାଣ୍ଡିଆନ ଆଲୋଚନା କରିବେ। ଏହି ଦଳ ସମସ୍ତ ବିଦେଶ ଗସ୍ତ ଶେଷ କରି ଆସନ୍ତା ୩୧ ତାରିଖରେ ଫେରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ତେବେ ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

Related Articles

Leave a Reply

Your email address will not be published.

Back to top button