ମଣିପୁର ମହିଳାଙ୍କ ନଗ୍ନ ପରେଡ୍‌ ଭିଡିଓ ମାମଲାରେ ମୁଖ୍ୟ ଅଭିଯୁକ୍ତ

ଇମ୍ଫାଲ: ମଣିପୁରରେ ଗୁରୁବାର ଦୁଇ ଜଣ ମହିଳାଙ୍କୁ ଉଲ୍ଲଗ୍ନ କରାଇ ଭିଡ଼ ହିଂସା ଦ୍ୱାରା ସେମାନଙ୍କୁ ପରେଡ୍‌ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହି ଘଟଣାକୁ କେନ୍ଦ୍ରକରି ସମଗ୍ର ଦେଶରେ ପ୍ରବଳ ହଇଚଇ ସୃଷ୍ଟି ହେବା ସହ ଏଇ ଘଟଣା ପୂରା ଦେଶକୁ ଦୋହଲାଇ ଦେଇଥିଲା। ତେବେ ଏହି ଜଘନ୍ୟ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହେବାପରେ ଜାତୀୟ ସ୍ତରର ଗଣମାଧ୍ୟମ ‘ଟାଇମ୍‌ସ ନାଓ’ରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତର ପ୍ରଥମ ଫଟୋ ପ୍ରକାଶ ପାଇଛି। ‘ଟାଇମ୍‌ସ ନାଓ’ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାଇରାଲ ହୋଇଥିବା ଭିଡିଓରେ ମୁଖ୍ୟ ଅଭିଯୁକ୍ତ ପେଚି ଆୱାଙ୍ଗ ଲେଇକାଇର ଅଞ୍ଚଳର ୩୨ ବର୍ଷୀୟ ହୁଇରେମ ହେରୋଦାସ ମେଇତେଇ ସବୁଜ ରଙ୍ଗର ଟି-ସାର୍ଟ ପିନ୍ଧି ମହିଳାଙ୍କୁ ଧରିଥିବାର ଦେଖିବାକୁ ମିଳିଥିଲା। ‘ଗତକାଲି (ବୁଧବାର) ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଆମେ ମୁଖ୍ୟ ଅପରାଧୀକୁ ଗିରଫ କରିଥିଲୁ। ଏହା ଏକ ଅମାନବୀୟ କାର୍ଯ୍ୟ… ତେଣୁ ଆମେ ଏହାର ଦୃଢ଼ ନିନ୍ଦା କରିଛୁ… ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋଷୀଙ୍କୁ ଗିରଫ କରିବାକୁ ଆମେ ପୁଲିସକୁ ନିର୍ଦ୍ଦେଶ ଦେଇଛୁ। ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କୁ ଗିରଫ କରାଯାଇ ସାରିଲାଣି’ ବୋଲି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହ କହିଛନ୍ତି। ମଣିପୁରର ଥୋବାଲ ଜିଲ୍ଲାରେ ମେ ୪ ତାରିଖରେ ଘଟିଥିବା ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଘଟଣା ଘଟିବାର ୭୦ ଦିନ ପରେ ବୁଧବାର ପୁଲିସ ଅଜ୍ଞାତ ଦୁର୍ବୃତ୍ତଙ୍କ ବିରୋଧରେ ଅପହରଣ, ଗଣଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରିଛି। ଏହି ଘଟଣାକୁ କେନ୍ଦ୍ରକରି ସଂସଦର ଚଳିତ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ସଂସଦରେ ଏକ ବଡ଼ ହଙ୍ଗାମା ଦେଖିବାକୁ ମିଳିଥିଲା, ଯେତେବେଳେ ବିରୋଧୀମାନେ ମଣିପୁର ପରେଡ୍‌ ଭିଡିଓ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌କୋର୍ଟ ମଧ୍ୟ ଏହି ମାମଲାରେ ଗଭୀର ଉଦବେଗ ପ୍ରକାଶ କରିଥିଲେ।

Related Articles

Leave a Reply

Your email address will not be published.

Back to top button