ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା । ପ୍ରବଳ ବର୍ଷାରେ ଉବୁଟୁବୁ ଦେଶର ରାଜଧାନୀ ଦିଲ୍ଲୀ । ରାସ୍ତା, ଗଳି କନ୍ଦି, ଅଣ୍ଡରପାସ ସବୁଠି ପାଣି ଜମି ରହିଛି। ରାସ୍ତାଘାଟ ପୋଖରୀ ସାଜିଥିବା ବେଳେ ଗୃହବନ୍ଦୀ ହୋଇଛନ୍ତି ଲୋକେ। ଦିଲ୍ଲୀର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ଯୋଗୁଁ ସରକାରୀ ବିଭାଗର ସବୁ ଅଧିକାରୀଙ୍କ ରବିବାର ଛୁଟି ବାତିଲ୍ କରିବା ସହ ସେମାନଙ୍କୁ ଗ୍ରାଉଣ୍ଡକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସଦ୍ୟତମ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଅର୍ଥାତ ଜୁଲାଇ ୧୦ରେ ଦିଲ୍ଲୀର ସମସ୍ତ ବିଦ୍ୟାଳୟକୁ ଗୋଟିଏ ଦିନ ପାଇଁ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିଷ୍ପତ୍ତି ନେଇଛନ୍ତି। ମାତ୍ର ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭାରତୀୟ ପାଣିପାଗ ବିଭାଗର କହିବା ଅନୁସାରେ ୧୯୮୨ ମସିହା ଜୁଲାଇ ପରଠାରୁ ଦିଲ୍ଲୀରେ ଏତେ ପରିମାଣର ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ବିଦ୍ୟୁତ ସରବରାହ ଓ ଇଣ୍ଟରନେଟ୍ ମଧ୍ୟ ବାଧାପ୍ରାପ୍ତ ହୋଇଛି । ବର୍ଷା ଯୋଗୁଁ ଉତ୍ତର ଭାରତରେ ୨୦ଟି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସିମଲାରେ ଭୂସ୍ଖଳନରେ ଘର ଭାଙ୍ଗି ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଛି । ହିମାଚଳପ୍ରଦେଶ କୁଲୁରେ ବେଜ୍ ନଦୀରେ ଜାତୀୟ ରାଜପଥ ଧୋଇ ହୋଇଯାଇଛି । ସେହିପରି ଲାହୁଲ ସ୍ପିତିରେ ଫ୍ଲାସ ଫ୍ଲଡ ଓ ଲ୍ୟାଣ୍ଡସ୍ଲାଇଡ୍ ହୋଇଛି ।

Related Articles

Leave a Reply

Your email address will not be published.

Back to top button