ଇପିଏଫ୍ଓ ଉପଭୋକ୍ତାଙ୍କ ପାଇଁ ଖୁସି ଖବର

ସୁଧହାର ରହିଲା ଅପରିବର୍ତ୍ତିତ

ନୂଆଦିଲ୍ଲୀ : ଦେଶର କୋଟି କୋଟି ଇପିଏଫ୍ଓ ଉପଭୋକ୍ତାଙ୍କ ସକାଶେ ଗୁରୁବାର କେନ୍ଦ୍ର ସରକାର ଏକ ଆଶ୍ବସ୍ତିକର ଖବର ଦେଇଛନ୍ତି। ୨୦୨୧ ବର୍ଷ ପାଇଁ ଇପିଏଫ୍ଓ ଉପରେ ମିଳୁଥିବା ସୁଧ ହାର ୮.୫ ପ୍ରତିଶତରେ ଅପରିବର୍ତ୍ତିତ ରହିବ। ଏହାଦ୍ବାରା ପାଖାପାଖି ୫ କୋଟି ଇପିଏଫଓ ଉପଭୋକ୍ତା ଲାଭବାନ ହେବେ ବୋଲି କୁହାଯାଇଛି। ଗୁରୁବାର ଏ ସଂକ୍ରାନ୍ତରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିବା କୁହାଯାଇଛି। ଇପିଏଫ୍ଓର ଚୂଡ଼ାନ୍ତ ନିଷ୍ପତ୍ତି ନେଉଥିବା କମିଟି ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଟ୍ରଷ୍ଟିଜ୍ ପକ୍ଷରୁ ଶ୍ରୀନଗରଠାରେ ଅନୁଷ୍ଠିତ ବୈଠକରେ ସୁଧ ହାରକୁ ସାଢ଼େ ୮ ପ୍ରତିଶତରେ ସୀମିତ ରଖିବା ଉପରେ ନିଷ୍ପତ୍ତି ହୋଇଛି। ପୂର୍ବରୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଇପିଏଫ୍ଓ ଜମା ଉପରେ ସୁଧ ହାରକୁ ହ୍ରାସ କରାଯିବା ନେଇ ଆକଳନ ପ୍ରକାଶ ପାଇଆସୁଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ଇପିଏଫ୍ଓ ହିତାଧିକାରୀମାନେ କୋରୋନା ମହାମାରୀ ସମୟରେ ଅଧିକ ଅର୍ଥ ଉଠାଣ କରିଥିବାରୁ ଓ କମ୍ ଜମା କରିଥିବାରୁ ସୁଧ ହାର ହ୍ରାସ ହେବାର ସମ୍ଭାବନା ବ୍ୟକ୍ତ କରାଯାଉଥିଲା। ଗତ ବର୍ଷ ମାର୍ଚ୍ଚରେ ଇପିଏଫ୍ଓ ପକ୍ଷରୁ ସାତ ବର୍ଷ ଭିତରେ ସୁଧ ହାରକୁ ସର୍ବନିମ୍ନ ସାଢ଼େ ୮ ପ୍ରତିଶତ କରିଦିଆଯାଇଥିଲା। ଏହା ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ୮.୬୫ ପ୍ରତିଶତ ରହିଥିଲା। ଶେଷ ଥର ପାଇଁ ଗତ ୨୦୧୨-୧୩ ଆର୍ଥିକ ବର୍ଷରେ ଇପିଏଫ୍ଓ ପକ୍ଷରୁ ସର୍ବନିମ୍ନ ସାଢ଼େ ୮ ପ୍ରତିଶତ ସୁଧ ଦିଆଯାଉଥିଲା। ସେହିପରି ଗତ ୨୦୧୬-୧୭ ଆର୍ଥିକ ବର୍ଷରେ ଇପିଏଫ୍ଓ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ୮.୬୫ ପ୍ରତିଶତ ସୁଧ ଦେଉଥିଲେ। କିନ୍ତୁ ୨୦୧୭-୧୮ରେ ଏହାକୁ ୮.୫୫ ପ୍ରତିଶତକୁ ହ୍ରାସ କରିଦେଇଥିଲେ। ଅବଶ୍ୟ ୨୦୧୫-୧୬ରେ ସୁଧ ହାର ସାମାନ୍ୟ ଅଧିକ ଅର୍ଥାତ୍ ୮.୮ ପ୍ରତିଶତ ରହିଥିଲା। ପୂର୍ବରୁ ୨୦୧୩-୧୪ରେ ୮.୭୫ ପ୍ରତିଶତ ସୁଧ ହାର ଇପିଏଫ୍ଓ ଜମା ଉପରେ ମିଳୁଥିବା ବେଳେ ୨୦୧୪-୧୫ରେ ଏହା ସମାନ ରହିଥିଲା। କିନ୍ତୁ ୨୦୧୨-୧୩ରେ କେନ୍ଦ୍ର ସରକାର ଏହାକୁ ସାଢ଼େ ୮ ପ୍ରତିଶତକୁ ହ୍ରାସ କରିଦେଇଥିଲେ। ଏପରିକି ୨୦୧୧-୧୨ରେ ଇପିଏଫ୍ଓ ଉପରେ ଜମାକାରୀମାନଙ୍କୁ ୮.୨୫ ପ୍ରତିଶତ ସୁଧ ମିଳୁଥିଲା।

Related Articles

Leave a Reply

Your email address will not be published.

Back to top button