ଓଡ଼ିଶାର ରାଜ୍ୟ ଜିଏସ୍‌ଟି ଓ ସମନ୍ୱିତ ଜିଏସ୍‌ଟି ବାବଦକୁ ମିଳିଲା ୧୬୭୫ କୋଟି ଟଙ୍କା

ଭୁବନେଶ୍ୱର: ମୋଟ ଜିଏସ୍‌ଟି କ୍ଷେତ୍ରରେ ଓଡ଼ିଶା ଚଳିତ ବର୍ଷ ମେ’ ମାସରେ ୧୧.୧୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିବା ସହ ୪୩୯୭.୭୩ କୋଟି ଟଙ୍କା ସଂଗ୍ରହ କରିଛି। ଗତବର୍ଷ ମେ’ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୩୯୫୫.୭୫ କୋଟି ଟଙ୍କା। ଚଳିତ ଆର୍ଥିକ ବର୍ଷର ମେ’ ମାସ ସୁଦ୍ଧା ସାମଗ୍ରିକ ଜିଏସ୍‌ଟି ସଂଗ୍ରହ ୯୪୩୩.୪୭ କୋଟି ଟଙ୍କା ହୋଇଥିବାବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଏହା ୮୮୬୫.୯୮ କୋଟି ଟଙ୍କା ଥିଲା। ପୁନଶ୍ଚ, ରାଜ୍ୟ ଜିଏସ୍‌ଟି ଓ ସମନ୍ୱିତ ଜିଏସ୍‌ଟି ଫଇସଲା ବାବଦକୁ ୨୦୨୩ ମସିହା ମେ’ ମାସରେ ମିଳିଥିବା ଅର୍ଥରାଶିରେ ୩୦.୨୮ ପ୍ରତିଶତ ଅଭିବୃଦ୍ଧି ହେବା ସହ ଏ କ୍ଷେତ୍ରରେ ୧୬୭୫.୭୭ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଗତ ବର୍ଷ ମେ’ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୧୨୮୬.୨୯ କୋଟି ଟଙ୍କା। ୨୦୨୩-୨୪ ଆର୍ଥିକ ବର୍ଷର ମେ’ ମାସ ସୁଦ୍ଧା ରାଜ୍ୟ ଜିଏସ୍‌ଟି ଓ ସମନ୍ୱିତ ଜିଏସ୍‌ଟି ଫଇସଲା ବାବଦକୁ ରାଜ୍ୟ ପାଇଥିବା ସାମଗ୍ରିକ ଜିଏସ୍‌ଟି ସଂଗ୍ରହ ପରିମାଣ ୪୦୩୪.୯୪ କୋଟି ଟଙ୍କା ହୋଇଥିବା ବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଏହା ଥିଲା ୨୯୬୬.୨୯ କୋଟି ଟଙ୍କା। ଫଳରେ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୩୬.୦୩ ପ୍ରତିଶତ। ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ବିଭାଗ ଆଦାୟ କରୁଥିବା ସମସ୍ତ ଟିକସ ଯଥା: ଜିଏସ୍‌ଟି, ଭାଟ, ପ୍ରବେଶ ଶୁଳ୍କ, ବୃତ୍ତିଗତ କର ଅଧୀନରେ ଚଳିତ ବର୍ଷ ମେ’ ମାସରେ ମୋଟ ୨୭୧୧.୦୪ କୋଟି ଟଙ୍କା ସଂଗ୍ରହ କରାଯାଇଥିବାବେଳେ ଗତ ବର୍ଷ ମେ’ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୩୧୧.୭୮ କୋଟି ଟଙ୍କା। ଫଳରେ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୧୭.୨୭ ପ୍ରତିଶତ। ଚଳିତ ବର୍ଷ ମେ’ ମାସରେ ୨୦.୪୦ ଲକ୍ଷ ଇ-ୱେବିଲ୍‌ ନିର୍ଗମନ କରାଯାଇଥିବାବେଳେ ୨୦୨୨ ମସିହା ମେ’ ମାସରେ ୧୭.୨୬ ଲକ୍ଷ ସଂଖ୍ୟକ ଇ-ୱେବିଲ୍‌ ନିର୍ଗମନ କରାଯାଇ ଥିଲା। ଏ କ୍ଷେତ୍ରରେ ୧୮.୧୯ ପ୍ରତିଶତ ହୋଇଛି।

Related Articles

Leave a Reply

Your email address will not be published.

Back to top button