ଭିତରକନିକା ଜାତୀୟ ଉଦ୍ୟାନର ରୂପରେଖ ବଦଳିବ
ଭୁବନେଶ୍ବର: ଭିତରକନିକା ଜାତୀୟ ଉଦ୍ୟାନର ରୂପରେଖ ବଦଳିବ। ଭିତରକନିକାରେ ଭିତ୍ତିଭୂମିର ବିକାଶ ଆରମ୍ଭ ହୋଇଛି। ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୨୦୨୧-୨୨ ଆର୍ଥତ୍କ ବର୍ଷରେ ୫୮ କୋଟି ୫୮ ଲକ୍ଷ ୫୩ ହଜାର ଟଙ୍କା ଯୋଗାଇ ଦେଇଛନ୍ତି। ଏହି ଅର୍ଥରେ ସୂଚନା କେନ୍ଦ୍ର, ମୁଖ୍ୟ ଫାଟକ, ୱାଚ୍ ଟାୱାର, ଖୋଳା, ଗୁପ୍ତି, ଡାଙ୍ଗମାଳ ଓ ଜୟନଗରଠାରେ ଜେଠି ନିର୍ମାଣ ହେବ। ଏହି ପର୍ଯ୍ୟଟନଭିତ୍ତିକ ପ୍ରକଳ୍ପଗୁଡ଼ିକର ଥ୍ରୀଡି ଚିତ୍ରକୁ ଜିଲା ପ୍ରଶାସନ ପକ୍ଷରୁ ସୋସିଆଲ ମିଡିଆରେ ଛଡ଼ାଯାଇଛି। ବିଶ୍ୱପ୍ରସିଦ୍ଧ ଭିତରକନିକା ପର୍ଯ୍ୟଟନସ୍ଥଳୀଠାରେ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନୟନ ନିମନ୍ତେ ସରକାର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି। ଗୁପ୍ତି ଜେଠିରେ ଡ୍ରାଏ ଡକ୍ ସୁବିଧା ପାଇଁ ୩୦ ଲକ୍ଷ, ଡାଙ୍ଗମାଳ ପ୍ରବେଶ ଦ୍ୱାରଠାରେ ପ୍ଲାଜା ଓ ପାର୍କିଂ ନିର୍ମାଣ ପାଇଁ ୩ କୋଟି ୧୫ ଲକ୍ଷ ୪୩ ହଜାର, ଗୁପ୍ତିଠାରେ ଜେଠି ନିର୍ମାଣ ପାଇଁ ୯ କୋଟି ୨୩ ଲକ୍ଷ ୭୪ ହଜାର, ଡାଙ୍ଗମାଳଠାରେ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ ଲାଗି ୧୪ କୋଟି ୩୮ ଲକ୍ଷ ୪୪ ହଜାର, ଡାଙ୍ଗମାଳଠାରେ ଥିବା ଜେଠିର ଉନ୍ନତୀକରଣ ପାଇଁ ୭ କୋଟି ୪୭ ଲକ୍ଷ ୮୩ ହଜାର, ଡାଙ୍ଗମାଳଠାରେ କାରିଗରି କ୍ରାଫ୍ଟ ବଜାର ଓ ଫୁଡ୍ କୋର୍ଟ ନିର୍ମାଣ ପାଇଁ ୭ କୋଟି ୭୯ ଲକ୍ଷ ୪୭ ହଜାର, ଚାନ୍ଦବାଲିଠାରେ ଜେଠି ନିର୍ମାଣ ପାଇଁ ୬ କୋଟି ୮୭ ଲକ୍ଷ ୬୧ ହଜାର, ଖୋଳାଠାରେ ଜେଠି ନିର୍ମାଣ ପାଇଁ ୬ କୋଟି ୬୬ ଲକ୍ଷ ୧ ହଜାର ଟଙ୍କା ସରକାର ଯୋଗାଇ ଦେଇଛନ୍ତି। ୨ ମାସ ତଳେ ଜିଲା ପ୍ରଶାସନ ପ୍ରକଳ୍ପ ନିର୍ମାଣ ସ୍ଥଳରେ ପହଞ୍ଚତ୍ ସ୍ଥାନ ଚିହ୍ନଟ କରିଥିଲେ। ଶନିବାର ଜିଲା ପ୍ରଶାସନ ପକ୍ଷରୁ ଏହି ସମସ୍ତ ପ୍ରକଳ୍ପର ଚିତ୍ର ଜାରି କରାଯାଇଛି। ମୁଖ୍ୟ ଫାଟକ ଏପରି ଭାବେ ନିର୍ମାଣ କରାଯିବ, ଯେପରି ପର୍ଯ୍ୟଟକମାନେ କୁମ୍ଭୀର ଅଁା ମଧ୍ୟରେ ପଶି ଜାତୀୟ ଉଦ୍ୟାନ ଯିବାର ଅନୁଭବ କରିବେ। ଏଥିସହ ସୂଚନା କେନ୍ଦ୍ର ନିର୍ମାଣ ହେବ। ଏଥିରେ ଅଲିଭ୍ ରିଡ୍ଲେ, ଲୁଣିପାଣି କୁମ୍ଭୀର, ପକ୍ଷୀ, ମ୍ୟାନ୍ଗ୍ରୋଭ୍ ସହ ୭ଡି ଥିଏଟର ଓ ଆକ୍ୱାରିୟମ ରହିବ। ଖୋଳା, ଗୁପ୍ତି, ଡାଙ୍ଗମାଳ ଓ ଜୟନଗରଠାରେ ଯେଉଁ ଜେଠି ନିର୍ମାଣ ହେବ, ଜେଠିରେ ଫ୍ଲୋଟିଂ ଜେଠି ସଂଯୁକ୍ତ ରହିବ। ଜେଠି ନିକଟରେ ଟିକେଟ କାଉଣ୍ଟର, ସ୍ନାକ୍ସ କାଉଣ୍ଟର, ଟଏଲେଟ, ରେଷ୍ଟରୁମ୍ ସହ ପାର୍କିଂ ସ୍ପେଶ୍ ରହିବ। ଏହାବାଦ୍ ୱାଚ୍ ଟାୱାର ନିର୍ମାଣ କରାଯିବ, ଯେଉଁ ଟାୱାର ଉପରେ ଚଢ଼ି ପର୍ଯ୍ୟଟକମାନେ ଲୁଣାଜଙ୍ଗଲର ଶୋଭା ଉପଭୋଗ କରିପାରିବେ।