କ୍ୟାବିନେଟରେ ୧୮ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ଆଜି ବିଜେଡି ସରକାରର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରା ହୋଇଥିବାବେଳେ ନିର୍ବାଚନ ପୂର୍ବରୁ ବିଜେଡି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଆଜି କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ମୋଟ ୧୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ରାଜ୍ୟ ସରକାରଙ୍କ ଫୋକସରେ ସବୁବେଳେ ଗରିବ କଲ୍ୟାଣ ରହିଥିବା ବେଳେ ଏନେଇ କିଛି ବଡ଼ ନିଷ୍ପତ୍ତି ନିଆଯାଇଛି। ତେବେ କ୍ୟାବିନେଟ୍ ବୈଠକରେ ଗରିବ ଲୋକଙ୍କୁ ଘର ଯୋଗାଇଦେବା ପାଇଁ ‘ମୋ ଘର’ ଯୋଜନାକୁ ମିଳିଛି ସ୍ୱୀକୃତି । ‘ମୋ ଘର’ ହେଉଛି ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ସହାୟତା ଯୋଜନା  । ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଘରକୁ ନେଇ ବିଜେଡି-ବିଜେପି ମଧ୍ୟରେ ସବୁବେଳେ ବିବାଦ ଲାଗି ରହୁଥିବାରୁ ଅନେକ ଲୋକ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ସେଭଳି ଲୋକଙ୍କୁ ଘର ପାଇଁ ସବସିଡ୍ ସହ ଋଣ ଯୋଗାଇଦେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଗରିବ ଲୋକଙ୍କୁ ୧ ଲକ୍ଷରୁ ୩ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ଯୋଜନା ଦେବାକୁ ବ୍ୟବସ୍ଥା କରାଯାଇଛି । ସେଥିରୁ ସରକାର ୩୦ ହଜାରରୁ ୭୦ ହଜାର ଟଙ୍କା ପର୍ୟ୍ୟନ୍ତ ଛାଡ କରିବାକୁ ଯୋଜନା କରିଛନ୍ତି । ବାକି ଟଙ୍କା ଋଣ ନେବାର ୧୧ ବର୍ଷ ପରେ ସୁଝିବାର ବ୍ୟବସ୍ଥା କରାଯାଇଛି । ବୈଠକରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁରୀ ମିଳିଛି । ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ମୋଟ ୩୩୦.୧୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସେହିପରି ବୈଠକରେ ବଲାଙ୍ଗୀର ଜିଲ୍ଲାରେ ୬ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।  ଏହା ଦ୍ୱାରା ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ୨୨୨ଟି ଗ୍ରାମର ୧.୬୧ ଲୋକ ପାନୀୟ ଜଳ ସୁବିଧା ପାଇପାରିବେ ବୋଲି ଜଣାଯାଇଛି ।  ଏହାଛଡ଼ା ଗଜପତିର ୨ଟି ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।  ଯେଉଁଥି ପାଇଁ ଖର୍ଚ୍ଚ ହେବ ୩୭୯.୧୭ କୋଟି ଟଙ୍କା । ସେହିପରି ଭିସୁଟର ଉନ୍ନତୀକରଣ ପାଇଁ ୨୦୦୦ କୋଟି ଟଙ୍କା ଅନୁମୋଦନ କରାଯାଇଛି ।  ବେସରକାରୀ ଓ ଜୁନିଅର କଲେଜରେ ଲାଇବ୍ରେରୀ ଆଟେଣ୍ଡାଣ୍ଟ ପଦବୀକୁ ମଧ୍ୟ ମଞ୍ଜୁରୀ ମିଳିଛି । ଏହି ସହିତ ଭିତ୍ତିଭୂମି ବିକାଶ, ସହରାଞ୍ଚଳ ବିକାଶ, ମିଶନ ଶକ୍ତି, ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଉଚ୍ଚଶିକ୍ଷା, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ ବିଭାଗ ସମେତ ଆଉ କିଛି ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଥିବା ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button