କାନ୍ସର ରେଡ୍‌ କାର୍ପେଟରେ ଚାଲିବେ ଅନୁଷ୍କା

ମୁମ୍ବାଇ: ବିଶ୍ୱର ସବୁଠାରୁ ବଡ଼ ଫିଲ୍ମ ଫେଷ୍ଟିଭାଲ ଭାବେ ପରିଚିତ କାନ୍ସ ଫ୍ରାନ୍ସର ଉପକୂଳବର୍ତ୍ତୀ ଫ୍ରେଞ୍ଚ ରିଭେରାଠାରେ ମେ’ ୧୬ରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ବହୁ ନାମୀଦାମୀ କଳାକାର ଯୋଗଦେବେ। ପୂର୍ବରୁ ଏହି କାନ୍ସର ରେଡ୍‌ କାର୍ପେଟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଦୀପିକା ପାଦୁକୋନ ସାମିଲହୋଇ ବଲିଉଡ୍‌କୁ ଗୌରବାନ୍ବିତ କରିଛନ୍ତି। ତେବେ ଏଥର ଏହି ତାଲିକାରେ ଅନୁଷ୍କା ଶର୍ମା, ମାନୁଷୀ ଛିଲ୍ଲର, ବିଜୟ ବର୍ମା, ଆଦିତି ରାଓ ହାଇଦରି, ସୋନମ କେ, ଅନୁରାଗ କଶ୍ୟପ ଯୋଡି ହୋଇଛନ୍ତି। ଅନୁଷ୍କା ପ୍ରଥମ ଥର ପାଇଁ କାନ୍ସ ଫେଷ୍ଟିଭାଲରେ ଯୋଗଦେବାକୁ ଯାଉଛନ୍ତି। ଏଥିରେ ମହିଳା ଏବଂ ପୁରୁଷଙ୍କ ଡ୍ରେସ୍‌ କୋଡ୍‌ ସ୍ଥିର କରାଯାଇଛି। ଏହା କଡ଼ାକଡ଼ି ଭାବେ ପାଳନ କରିବାକୁ ପଡେ। ମହିଳାଙ୍କ ପାଇଁ କକ୍‌ଟେଲ ପୋଷାକ ବ୍ଲାକ୍‌ ଟପ୍‌, ବ୍ଲାକ୍‌ ଟ୍ରାଉଜର ଏବଂ ଡାର୍କ ଟ୍ରାଉଜର କିମ୍ବା ଅନ୍ୟ ଫର୍ମାଲ ପୋଷାକ ବିକଳ୍ପ ରହିଛି। ପୁରୁଷଙ୍କ ପାଇଁ ଡିନର ଜ୍ୟାକେଟ କିମ୍ବା ସୁଟ୍‌ ସହ ଏଲିଗାଣ୍ଟ ସୁଜ୍‌ ପିନ୍ଧିବାକୁ ନିୟମ ହୋଇଛି। ସେଲିବ୍ରିଟିଙ୍କ ବ୍ୟତୀତ ଖବରଦାତା ଏବଂ ଚଳଚ୍ଚିତ୍ର ସମାଲୋଚକମାନେ ମଧ୍ୟ ଏହି ଉତ୍ସବରେ ଯୋଗଦେଇପାରିବେ। ଅନୁଷ୍କା ଏ ପର୍ଯ୍ୟନ୍ତ ଅନେକ ହିଟ୍‌ ମୁଭି ଦର୍ଶକଙ୍କୁ ଭେଟି ଦେଇଥିବାବେଳେ ଶେଷ ଥର ପାଇଁ ତାଙ୍କୁ ‘ଚକ୍‌ଦା ଏକ୍ସପ୍ରେସ୍‌’ରେ ଦେଖିବାକୁ ମିଳିଥିଲା।

Related Articles

Leave a Reply

Your email address will not be published.

Back to top button