ମାଗଣାରେ ମିଳିବ ଅନ୍‌ଲାଇନ୍‌ ସାର୍ଟିଫାଏଡ୍‌ କପି

ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟ ପକ୍ଷରୁ ଡିଜିଟାଲ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ଆଉ ପାଦେ ଆଗକୁ ଯାଇଛି ପେପରଲେସ୍‌ କୋର୍ଟ। ହାଇକୋର୍ଟରେ ଫଇସଲା ହେଉଥିବା ମାମଲାଗୁଡ଼ିକର ରାୟ ଓ ନିର୍ଦ୍ଦେଶନାମା ଡିଜିଟାଲ୍‌ ସାଇନ୍‌ ହୋଇ ହାଇକୋର୍ଟ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହୋଇଛି। ଲୋକମାନେ ଏହି ରେକର୍ଡଗୁଡ଼ିକୁ ମାଗଣାରେ ଡାଉନ୍‌ଲୋଡ୍‌ କରିପାରିବେ। ଏହା ସେମାନଙ୍କ ପାଇଁ ଉପଯୋଗୀ ହେବ ବୋଲି ରବିବାର ହାଇକୋର୍ଟ ପକ୍ଷରୁ ପ୍ରେସ୍‌ ଇସ୍ତାହାରରେ ସୂଚନା ଦିଆଯାଇଛି। ୨୦୨୧ରୁ ହାଇକୋର୍ଟରେ ପେପରଲେସ୍‌ କୋର୍ଟ ସହ ରେକର୍ଡ ଡିଜିଟାଇଜେଶନ୍‌ ଓ ମାମଲା ଇ-ଫାଇଲିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ବିଚାରାଧୀନ ପୁରୁଣା ମାମଲା ସହ ନୂଆ ମାମଲାଗୁଡ଼ିକୁ ମଧ୍ୟ ଡିଜିଟାଇଜ୍‌ କରାଯାଉଛି। ଏଥିପାଇଁ ଆଇନଜୀବୀ ଓ ସେମାନଙ୍କ କାର୍ଯ୍ୟାଳୟର ସହାୟକମାନଙ୍କୁ ତାଲିମ ଦିଆଯାଇ ନୂଆ ମାମଲା ଇ-ଫାଇଲିଂକୁ ପ୍ରୋତ୍ସାହିତ କରାଯାଉଛି। ମାଗଣାରେ ଅନ୍‌ଲାଇନ୍‌ ସାର୍ଟିଫାଏଡ୍‌ କପି ମିଳିବା ବ୍ୟବସ୍ଥାକୁ ରେକର୍ଡ ଡିଜିଟାଇଜେଶନ ବହୁ ଭାବେ ସହାୟକ ହୋଇଛି। ଅନ୍‌ଲାଇନ୍‌ରେ ଏକ ଡିଜିଟାଲ୍‌ ପ୍ଲାଟଫର୍ମ ତିଆରି କରାଯାଇଛି। ଯଦ୍ଦ୍ବାରା ଲୋକେ ଅଦାଲତକୁ ନ ଆସି ଅନ୍‌ଲାଇନ୍‌ ମାଧ୍ୟମରେ ସେମାନଙ୍କ ମାମଲାର ସାର୍ଟିଫାଏଡ୍‌ କପି ପାଇଁ ସ୍ବଳ୍ପ ସମୟରେ ଆବେଦନ କରିପାରିବେ। ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ସାର୍ଟିଫାଏଡ୍‌ କପି ପ୍ରଦାନ ପାଇଁ ରହିଥିବା ନିୟମରେ ହାଇକୋର୍ଟ ଗତ ୧ ତାରିଖରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ସେହିଦିନଠାରୁ ହାଇକୋର୍ଟର ସମସ୍ତ ରାୟ ଓ ନିର୍ଦ୍ଦେଶନାମାର ନକଲ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ କରାଯାଇଆସୁଛି। ଏହି ରେକର୍ଡଗୁଡ଼ିକୁ ବୈଧ କରିବା ପାଇଁ ଅପଲୋଡ୍‌ ପୂର୍ବରୁ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଡିଜିଟାଲ୍‌ ସାଇନ କରାଯାଉଛି। ଏଥିରେ ଅଧିକାରୀଙ୍କ ଦସ୍ତଖତ ସହିତ ତାରିଖ ଓ ନିର୍ଦ୍ଦିଷ୍ଟ ସମୟ ରହୁଛି। ତେଣୁ ଆଇନଜୀବୀ, ପକ୍ଷ ବା କୌଣସି ଅଧିକାରୀଙ୍କ ନିକଟରେ ପ୍ରଦାନ କରାଯାଇଥିବା କାଗଜାତଗୁଡ଼ିକର ବୈଧତାକୁ ଅନ୍‌ଲାଇନ୍‌ରେ ଉପଲବ୍ଧ ସାର୍ଟିଫାଏଡ୍‌ କପି ସହ ପରଖିବା ସହଜ ହୋଇପାରିବ। ଏହି ପରଖିବା ପ୍ରଣାଳୀର କ୍ଷୁଦ୍ର ଭିଡିଓ ଖୁବ୍‌ଶୀଘ୍ର ହାଇକୋର୍ଟ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯିବ। ସାର୍ଟିଫାଏଡ୍‌ କପି ପ୍ରଦାନର ନୂଆ ବ୍ୟବସ୍ଥା ସହ ଫିଜିକାଲ କପି ପ୍ରଦାନର ପୁରୁଣା ବ୍ୟବସ୍ଥା ମଧ୍ୟ ପ୍ରଚଳିତ ରହିଛି। ତେବେ ଏହାକୁ ସୁଗମ କରିବା ପାଇଁ ବ୍ୟକ୍ତିଗତ କ୍ଷେତ୍ରରେ ପକ୍ଷଙ୍କ ପାଇଁ ଇଚ୍ଛାଧୀନ ରଖାଯାଇଛି। ମାତ୍ର କେନ୍ଦ୍ର ସରକାର, ରାଜ୍ୟ ସରକାର, ପବ୍ଲିକ ସେକ୍ଟର ଅଣ୍ଡରଟେକିଂ, ଅର୍ବାନ ଓ ରୁରାଲ ଲୋକାଲ ବଡିଗୁଡ଼ିକ ପାଇଁ ଅନ୍‌ଲାଇନ୍‌ ଆବେଦନ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ଆଇନଜୀବୀ ଓ ପକ୍ଷମାନେ ବହୁ ଭାବେ ଉପକୃତ ହେବେ।

Related Articles

Leave a Reply

Your email address will not be published.

Back to top button