ନିଜ ଜନ୍ମମାଟିରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୦ଟା ୧୬ ମିନିଟରେ ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇଛନ୍ତି । ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ମୟୂରଭଞ୍ଜ ଗସ୍ତ ହୋଇଥିବାରୁ ସେଠାରେ ଲୋକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ୱାଗତ କରିଛନ୍ତି । ଏହାଛଡା କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିଛନ୍ତି । ଏହାପରେ ରାଷ୍ଟ୍ରପତି ଚାଲିଚାଲି ସ୍ଥାନୀୟ ଲୋକଙ୍କୁ ନମସ୍କାର କରିବା ସହ ହାତ ହଲାଇ ସମସ୍ତଙ୍କର ଅଭିବାଦନ ଗ୍ରହଣ କରିଛନ୍ତି । ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଡାକବଙ୍ଗଳାରେ ଅବସ୍ଥାନ କରିବେ । ୫ ତାରିଖ ଦିନ ଶିମିଳିପାଳ ଅଭୟାରଣ୍ୟ ଭ୍ରମଣ କରିବେ। ଭ୍ରମଣ ସାରି ହେଲିକପ୍ଟର ଯୋଗେ ବାରିପଦା ଯିବେ। ବାରିପଦା ସର୍କିଟ୍‌ ହାଉସ୍‌ରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ କରିବା ସହ ଅତିଥି ଭବନରେ ବିଶ୍ରାମ ନେବେ । ୬ ତାରିଖ ସକାଳେ ରାଷ୍ଟ୍ରପତି ବାରିପଦା ତକତପୁରସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ । କାର୍ଯ୍ୟକ୍ରମ ପରେ ହେଲିକପ୍ଟର ଯୋଗେ କଲେଇକୁଣ୍ଡା ଯିବେ ଏବଂ ସେଠାରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Related Articles

Leave a Reply

Your email address will not be published.

Back to top button