ମହାନଦୀ ଜଳବିବାଦ: ମେ’ରେ ଓଡ଼ିଶାକୁ ୨ ପର୍ଯ୍ୟାୟରେ ଗସ୍ତକରିବେ ଟ୍ରିବ୍ୟୁନାଲ

ନୂଆଦିଲ୍ଲୀ: ଛତିଶଗଡ଼କୁ ଦୁଇ ପର୍ୟ୍ୟାୟ ଗସ୍ତ ପରେ ଓଡ଼ିଶାକୁ ମଧ୍ୟ ଦୁଇ ପର୍ଯ୍ୟାୟ ଗସ୍ତରେ ଆସିବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ। ମେ ୧୦ରୁ ୧୪ ପର୍ଯ୍ୟନ୍ତ ପ୍ରଥମ ପର୍ୟ୍ୟାୟ ଓ ମେ ୧୮ରୁ ୨୨ ପର୍ୟ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ସ୍ଥିର ହୋଇଛି। ଓଡ଼ିଶାକୁ କ୍ଷେତ୍ର ପରିଦର୍ଶନ ପରେ ଟ୍ରିବ୍ୟୁନାଲ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି। ପୂର୍ବ ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ଟ୍ରିବ୍ୟୁନାଲ ଚଳିତ ମାସ ୨୯ରୁ ଛତିଶଗଡ଼କୁ ଦ୍ବିତୀୟ ପର୍ଯ୍ୟାୟ ଗସ୍ତ ଆରମ୍ଭ କରିବେ। ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍‌ ଏ.ଏମ୍‌ ଖାନୱିଲକର ଏହାର ନେତୃତ୍ବ ନେବେ। ପ୍ରଥମ ପର୍ଯ୍ୟାୟରେ ଟ୍ରିବ୍ୟୁନାଲ ଛତିଶଗଡ଼ର ୧୦ଟି ସ୍ଥାନ ପରିଦର୍ଶନ କରିଥିବା ବେଳେ ଦ୍ବିତୀୟ ପର୍ୟ୍ୟାୟରେ ମଧ୍ୟ ଆଉ ଦଶଟି ସ୍ଥାନର ସରଜମିନ୍‌ ସ୍ଥିତି ଅନୁଧ୍ୟାନ ହେବ। ଆସନ୍ତା ୩୦ରେ ଟ୍ରିବ୍ୟୁନାଲ ସଦସ୍ୟ ‌ଜୋଙ୍କ ଓ ଉପର ମହାନଦୀ ମୁଖ୍ୟ ଉପଅବବାହିକା, ବଲ୍ଲାର ଜଳାଶୟ, କାଶଦଲ ଓ ଶିଓରିନାରାୟଣ ବ୍ୟାରେଜ, ‌ମେ ୧ରେ ଅର୍ପା ଭଇଁଷାଝର, ହାସଦେଓ ବାଙ୍ଗୋ ଓ ଦାରୀ ବ୍ୟାରେଜ, ମେ ୨ରେ ହାସଦେଓ ଓ ଉପର ମହାନଦୀ ମୁଖ୍ୟ ଉପଅବବାହିକା, ବସନ୍ତପୁର ବ୍ୟାରେଜ, କଲମା ବ୍ୟାରେଜ ଓ ସୁରଜଗଡ଼ ସେତୁ ପରିଦର୍ଶନ କରିବେ। ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ଅନ୍ତିମ ଦିବସରେ ଟ୍ରିବ୍ୟୁନାଲ କେଲୋ ପ୍ରକଳ୍ପ ପରିଦର୍ଶନ କରିବେ।

Related Articles

Leave a Reply

Your email address will not be published.

Back to top button