କିରାଣି ବଦଳି ନିୟମକୁ କଡ଼ାକଡ଼ି ପାଳନ ପାଇଁ ତାଗିଦ୍

ଭୁବନେଶ୍ବର : ସରକାରୀ କାର୍ଯ୍ୟାଳୟରେ ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ଜଣେ କିରାଣି ୩ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ୩ ବର୍ଷ ପରେ ସେମାନଙ୍କର ଅନ୍ୟତ୍ର ବଦଳି ହେବ। ୨୦୧୭ ମସିହାରେ ରାଜସ୍ବ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା। କିନ୍ତୁ ବିଭିନ୍ନ କାର୍ଯ୍ୟାଳୟରେ ଏହି ଅନୁପାଳନ କରାଯାଉନାହିଁ। ଏହାକୁ ନେଇ ରାଜସ୍ବ ବିଭାଗ ଖପ୍ପା ହୋଇଛି।  ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ଚିଠି ସବୁ ଆର୍‌ଡିସି ଓ ଜିଲ୍ଲାପାଳଙ୍କ ସମେତ ରାଜସ୍ବ ବିଭାଗ ଅଧୀନସ୍ଥ ସବୁ କାର୍ଯ୍ୟାଳୟକୁ ଦିଆଯାଇଛି। ବଦଳି ନିୟମକୁ କଡ଼ାକଡ଼ି ପାଳନ ପାଇଁ ତାଗିଦ୍ କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଓ ଉନ୍ନତ ପ୍ରଶାସନିକ ବ୍ୟବସ୍ଥା ପାଇଁ ଏହି ବଦଳି ନିୟମ କରାଯାଇଥିଲା। ତେଣୁ ଏହାକୁ ଠିକ୍ ଭାବେ ପାଳନ କରିବାର ଆବଶ୍ୟକତା ରହିଛି। ଏପ୍ରିଲ୍ ୧୫ରୁ ଜୁନ୍ ୧୫ ତାରିଖ ମଧ୍ୟରେ ଅର୍ଥାତ ବଦଳି ଋତୁରେ ଏହି ନିୟମକୁ କଡ଼ାକଡ଼ି ଭାବେ ସବୁ କାର୍ଯ୍ୟାଳୟର କର୍ତ୍ତୃପକ୍ଷ ପାଳନ କରିବେ। ଯଦି ଏହି ସମୟ ସୀମା ବାହାରେ ବଦଳିର ଆବଶ୍ୟକତା ପଡ଼େ, ତେବେ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେଇ ବଦଳି କରାଯାଇପାରିବ।

Related Articles

Leave a Reply

Your email address will not be published.

Back to top button