ଆଉ ୭୨ଘଣ୍ଟା ସିଝିବ ସାରା ରାଜ୍ୟ

ଭୁବନେଶ୍ୱର : ଉତ୍ତର ପଶ୍ଚିମା ଓ ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଏବଂ ଅଧିକ ସୌର ବିକିରଣ ଯୋଗୁଁ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଆଗାମୀ ୨ ଦିନ ଧରି ତାପମାତ୍ରା ଆହୁରି ୨ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଦିନର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବା ସହିତ ଅଳ୍ପ କେତେକ ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱରରେ ତାପମାତ୍ରା ବୃଦ୍ଧି ଯୋଗୁ ଗ୍ରୀଷ୍ମପ୍ରଭାବ ଅନୁଭୂତ ହେବ । ସେହିପରି ୧୫ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସମ୍ବଲପୁର, ଦେବଗଡ ଏବଂ ଅନୁଗୁଳରେ ତାତି ଅଧିକ ରହିବ । ୧୬ରେ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ସୋନପୁର ଏବଂ ବୌଦ୍ଧର କିଛି ସ୍ଥାନରେ ନିଆଁ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ସମ୍ପୃକ୍ତ ସହର ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୬ ଅପରାହ୍ଣ ପରେ ୧୭ ସକାଳ ସାଢ଼େ ୮ଟା ମଧ୍ୟରେ ପାଗରେ ସାମାନ୍ୟ ପରିବର୍ତ୍ତନ ଘଟିବାର ସମ୍ଭାବନା ରହିଥିବା ବେଳେ କିଛି ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି । ବିଶେଷକରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱରରେ କାଳବୈଶାଖି ପ୍ରଭାବରେ ସାମାନ୍ୟ ବର୍ଷା ସମ୍ଭାବନା ରହିଛି । ଗୁରୁବାର ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିବା ବେଳେ ବାରିପଦାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ କରାଯାଇଥିବା ଜଣାପଡ଼ିଛି । ରାଜ୍ୟର ୧୦ ସହରର ପାରଦ ୪୦ଂ ଛୁଇଁଥିବା ବେଳେ ୭ଟି ସହରର ତାପମାତ୍ରା ୪୧ଂ, ୭ ସହରର ତାପମାତ୍ରା ୪୨ଂ ଏବଂ ଗୋଟିଏ ସହରର ତାପମାତ୍ରା ସର୍ବାଧିକ ୪୩.୫ଂ ରେକର୍ଡ କରାଯାଇଛି । ବାଲେଶ୍ୱରରେ ୪୦ଂ, ଚାନ୍ଦବାଲିରେ ୪୧.୩ଂ, କଟକରେ ୪୧.୪ଂ, ଭୁବନେଶ୍ୱରରେ ୪୦.୮ଂ, ଅନୁଗୁଳରେ ୪୨.୫ଂ, ବାରିପଦାରେ ୪୩.ଂ, ଝାରସୁଗୁଡ଼ାରେ ୪୧.୮ଂ, ସମ୍ବଲପୁରରେ ୪୧.୬ଂ, ସୁନ୍ଦରଗଡ଼ରେ ୪୧ଂ, ହୀରାକୁଦରେ ୪୦.୬ଂ, ତାଳଚେର ୪୨ଂ, ଭବାନୀପାଟଣାରେ ଓ ବଲାଙ୍ଗୀରରେ ୪୨ଂ, ଫୁଲବାଣୀରେ ୪୦.୩ଂ, ଟିଟିଲାଗଡ଼ରେ ୪୨.୨ଂ, ସୋନପୁରରେ ୪୨.୫ଂ, ନୟାଗଡ଼ରେ ୪୦ଂ, ବୌଦ୍ଧରେ ୪୨.୫ଂ, ପାରଳାଖେମୁଣ୍ଡିରେ ୪୦.୬ଂ, ଭଦ୍ରକରେ ୪୧ଂ, ଯାଜପୁରରେ ୪୦.୨ଂ, ଢେଙ୍କାନାଳରେ ୪୦.୫ଂ, ନୂଆପଡ଼ାରେ ୪୦ଂ, ଜଗତସିଂହପୁରରେ ୪୦.୫ଂ, ରାଉରକେଲାରେ ୪୧ଂ ତାପମାତ୍ରା ରେକର୍ଡ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button