ମୟୂରଭଞ୍ଜର ବିଭିନ୍ନ ବ୍ଲକର ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୟୂରଭଞ୍ଜର ବିଶୋଇ ଠାରେ ଜିଲ୍ଲାର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ, ବିଶୋଇ ବ୍ଲକ ମୁଖ୍ୟାଳୟ ଠାରେ ଏକ +୨ ମହାବିଦ୍ୟାଳୟ ସ୍ଥାପନ କରିବା ପାଇଁ ଓ ବିଶୋଇ ସ୍ଥିତ ମିନି ଷ୍ଟାଡିଅମକୁ ମହାପୁରୁଷ ଧରଣୀଧର ନାଏକଙ୍କ ନାମରେ ନାମିତ କରିବା ଏବଂ ସେଠାରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟଯେ ଜିଲ୍ଲାର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ମଧ୍ୟରେ ୩୨୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୩୩ଟି ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଏବଂ ୯୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୫୨ ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବିଶୋଇ ମିନିଷ୍ଟାଡିଅମ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ମୟୂରଭଞ୍ଜ ଜିଲ୍ଲାର ବିକାଶ ଯାତ୍ରାରେ ଏ ସବୁ ପ୍ରକଳ୍ପ ଗୁଡ଼ିକ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଲା। ଆଜି ଦିନଟି ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ସମସ୍ତ ପ୍ରକଳ୍ପ ଗୁଡ଼ିକ ରାଇରଙ୍ଗପୁର, କୁସୁମି, ବିଜାତଳା, ବହଳଦା, ଜାମ୍‌ଦା, ତିରିଂ ଅଞ୍ଚଳରେ ବିକାଶର ଏକ ନୂଆଧାରା ସୃଷ୍ଟି କରିବା ସହିତ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୂଳଦୁଆ ପକାଇବ। ଏହି ସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ, ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ, ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତି କରଣ, ବ୍ୟାଙ୍କ ସୁବିଧା, ସ୍ୱାସ୍ଥ୍ୟକେନ୍ଦ୍ର, ସଡକ ନିର୍ମାଣ ପ୍ରକଳ୍ପ, ଆଦିବାସୀ ସଂସ୍କୃତି ଭବନ ଏବଂ ଅନ୍ୟାନ୍ୟ ସରକାରୀ ଭିତ୍ତିଭୂମି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ ପୁଣି କହିଥିଲେଯେ, ଗତ ୧୧ ମାସରେ ଆମେ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ସମର୍ଥ ହୋଇଛୁ। ଏହି ସ୍ୱଳ୍ପ ସମୟ ମଧ୍ୟରେ ଶ୍ରୀ ମନ୍ଦିରର ଚାରିଦ୍ୱାର ଖୋଲିବା ହେଉ କିମ୍ୱା ମା’ମାନଙ୍କ ପାଇଁ ସୁଭଦ୍ରା ହେଉ, କି ଚାଷୀ ଭାଇମାନଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ହେଉ ମାତ୍ର ୨୪ ମିନିଟରେ ନିର୍ଣ୍ଣୟ ନେଇଥିଲୁ ଯାହା ଗତ ୨୪ ବର୍ଷରେ ହୋଇ ପାରି ନଥିଲା। ସୁଭଦ୍ରା ଓ ଚାଷୀମାନଙ୍କ ପାଇଁ ସହାୟତା ଆଜି ଗ୍ରାମାଞ୍ଚଳର ଅର୍ଥନୀତିକୁ ମଜବୁତ୍‍ କରିଛି । ଆହୁରି ମଧ୍ୟ ଚାଷୀଭାଇ ମାନଙ୍କ ପାଇଁ ଆମେ ସିଏମ୍‍ କିଷାନ ଯୋଜନା ଆରମ୍ଭ କରିଛୁ। ସୁଭଦ୍ରା ଯୋଜନାରେ ଆଜି ରାଜ୍ୟର ୧ କୋଟିରୁ ଉର୍ଦ୍ଧ୍ୱ ମହିଳା ଉପକୃତ ହୋଇଛନ୍ତି। ରାଜ୍ୟର ୧୭ ଲକ୍ଷ ମହିଳା ଆଜି ଲକ୍ଷପତି ଦିଦି ହୋଇଛନ୍ତି। ଆଜି କେନ୍ଦ୍ରସରକାରଙ୍କ ସହଯୋଗରେ ଓଡ଼ିଶାରେ ଶିଳ୍ପାୟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବା ପାଇଁ ଯାଉଛି। ଆମ ସରକାର ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଛନ୍ତି। ଉତ୍କର୍ଷ ଓଡ଼ିଶାର ଅପାର ସଫଳତା ଆମ ପାଇଁ ଏହି ନୂଆ ସୁଯୋଗ ଆଣିଛି। ସମଗ୍ର ଓଡ଼ିଶାରେ ବ୍ୟାପକ ଶିଳ୍ପାୟନର ସମ୍ଭାବନା ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଆଗାମୀ ଦିନରେ ଅନେକ ଶିଳ୍ପ ପ୍ରକଳ୍ପ ସ୍ଥାପନ ହେବ। ଜିଲ୍ଲାରେ ୧୦ ହଜାର କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହେବ। ଏହି ଶିଳ୍ପାୟନ ଜିଲ୍ଲାର ବିକାଶକୁ ଦ୍ୱିଗୁଣିତ କରିବା ସହିତ ଜିଲ୍ଲାବାସୀଙ୍କ ରୋଜଗାର ଓ ନିଯୁକ୍ତି ପାଇଁ ବ୍ୟାପକ ସୁଯୋଗ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button