ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ରବିବାର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଡବ୍ଲ୍ୟୁସି (କଂଗ୍ରେସ କାର୍ଯ୍ୟକାରୀ କମିଟି) ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି । ଚିକିତ୍ସା ପାଇଁ ସୋନିଆ ବର୍ତ୍ତମାନ ବିଦେଶରେ ଅବସ୍ଥାନ କରୁଥିବାରୁ ଭର୍ଚୁଆଲ ପ୍ଲାଟଫର୍ମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ତଦନୁଯାୟୀ ସେପ୍ଟେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଉଥିବାବେଳେ ସେପ୍ଟେମ୍ବର ୨୪ରୁ ୩୦ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରାଯିବ । ଅକ୍ଟୋବର ୧ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୮ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ତାରଖ ଧାର୍ଯ୍ୟ କରାଯାଇଛି । ଯଦି ଆବଶ୍ୟକ ପଡେ ତେବେ ଅକ୍ଟୋବର ୧୭ରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇ ୧୯ରେ ଫଳାଫଳ ଘୋଷଣା କରାଯିବ । ଯଦି କୌଣସି ପ୍ରାର୍ଥୀ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୁଅନ୍ତି, ତେବେ ୧୭ରେ ଭୋଟଗ୍ରହଣର ଆବଶ୍ୟକତା ପଡିବ ନାହିଁ ବୋଲି କୁହାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ୱାସ୍‌ନିକ୍‌, ଜୟରାମ ରମେଶ, ପି.ଚିଦମ୍ବରମ, ସାଧାରଣ ସମ୍ପାଦକ କେ.ସି.ବେଣୁଗୋପାଳ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ପ୍ରମୁଖ ଯୋଗଦେଇଥିଲେ । ଚଳିତବର୍ଷ ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ନୂଆ ସଭାପତି ନିର୍ବାଚିତ ହେବେ ବୋଲି କଂଗ୍ରେସ ପକ୍ଷରୁ ଗତବର୍ଷ ଘୋଷଣା କରାଯାଇଥିଲା । ଇତିମଧ୍ୟରେ ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମା, କପିଲ ସିବଲ, କ୍ୟାପଟେନ ଅମରିନ୍ଦର ସିଂହ ଓ ଅଶ୍ୱିନୀ କୁମାରଙ୍କ ଭଳି ଏକାଧିକ ବରିଷ୍ଠ ନେତା କଂଗ୍ରେସ ଛାଡିସାରିଥିବାରୁ ଦଳରେ ନେତୃତ୍ୱ ପ୍ରସଙ୍ଗ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି । ଏପରିକି ଜି-୨୩ ଗୋଷ୍ଠୀ କଂଗ୍ରେସ ନେତାମାନେ ରାହୁଲଙ୍କ ବିରୋଧରେ ବିଷୋଦ୍‌ଗାର କରିବା ସହ ଦଳର ଅଧପତନ ପାଇଁ ତାଙ୍କୁ ଏକୁଟିଆ ଦାୟୀ କରୁଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button