ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୩ ଲକ୍ଷରୁ ଊର୍ଦ୍ଧ୍ୱ ଯୋଗ୍ୟଙ୍କୁ ସାମିଲ ନକଲେ ସବୁ ବ୍ଲକ୍‌ରେ ଆନ୍ଦୋଳନ

ଭୁବନେଶ୍ୱର: ଷଡ଼ଯନ୍ତ୍ର କରି ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦେଇଛନ୍ତି । ଦଳୀୟ ଆଧାରରେ ଏବଂ ଶାସକ ବିଜେଡିର ନେତା ଓ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ଏହି ସଂଖ୍ୟା ୩ ଲକ୍ଷରୁ ଊର୍ଦ୍ଧ୍ୱ ହେବାର ଆଶଙ୍କା ପ୍ରକାଶ ପାଇଛି । ତେଣୁ ରାଜ୍ୟ ସରକାର ଅଯୋଗ୍ୟଙ୍କୁ କାଟି ତୁରନ୍ତ ଯୋଗ୍ୟଙ୍କୁ ସାମିଲ କରନ୍ତୁ । ୭ ଦିନ ଭିତରେ ସମସ୍ୟାର ସମାଧାନ ନହେଲେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ବିଜେପି ରାଜ୍ୟର ସମସ୍ତ ୩୧୪ଟି ବ୍ଲକ୍‌ରେ ଆନ୍ଦୋଳନ କରିବ । ଆସନ୍ତା ୨୫ରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ବି ଦିଆଯିବ । କୌଣସି ପଦକ୍ଷେପ ଗ୍ରହଣ କରା ନଗଲେ ବିଜେପି କେନ୍ଦ୍ର ସରକାରଙ୍କୁ ଅବଗତ କରିବା ସହ କୋର୍ଟଙ୍କ ମଧ୍ୟ ଦ୍ୱାରସ୍ଥ ହେବ । ସୋମବାର ଏହି ଚେତାବନୀ ଦେଇଛି ବିଜେପି ।
ଏନେଇ ଦଳର ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟରେ ଜଣେ ହେଲେ ବାସହୀନ ରହିବେ ନାହିଁ ଏବଂ ସମସ୍ତଙ୍କୁ ପକ୍କାଘର ଯୋଗାଇ ଦେବାର ଦାୟିତ୍ୱ ମୋଦୀ ସରକାର ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ବହୁ ଆକାଂକ୍ଷିତ ଯୋଜନା ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ରାଜ୍ୟରେ ସଠିକ୍‌ତାର ସହ ପ୍ରଣୟନ ହେବା ପଇଁ ଭାରତୀୟ ଜନତା ପାର୍ଟି ସଜାଗ ଦୃଷ୍ଟି ରଖିଛି । ରାଜ୍ୟରେ ୨୭ ଲକ୍ଷ ପକ୍କାଘରର ଆବଶ୍ୟକତା ଥିବାର ରାଜ୍ୟ ସରକାର ବିଧାନସଭାରେ କହିଥିବାବେଳେ ମୋଦୀ ସରକାର ବର୍ତମାନ ସୁଦ୍ଧା ପାଖାପାଖି ୨୮ ଲକ୍ଷ ଘର ମଞ୍ଜୁର କରିଛନ୍ତି । ସଦ୍ୟ ଆବଣ୍ଟନ ହୋଇଥିବା ୯.୫୮ ଲକ୍ଷ ପକ୍କାଘର ପାଇଁ ଯୋଗ୍ୟ ତାଲିକା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର । ହେଲେ ଦଳୀୟ ଆଧାରରେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଉଛି । ରାଜ୍ୟ ସରକାରଙ୍କ ଷଡ଼ିଯନ୍ତ୍ର କରି ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ରଖିଛନ୍ତି । ଜଣେ ହେଲେ ଯୋଗ୍ୟ ହିତାଧିକାରୀ ପକ୍କାଘର ପାଇବାରୁ ଯେପରି ବଞ୍ଚିତ ନହୁଅନ୍ତି, ସେଥିପାଇଁ ଭାରତୀୟ ଜନତା ପାର୍ଟି ସଜାଗ୍ ଅଛି । ମଙ୍ଗଳବାର ହେଉଛି ଅଭିଯୋଗ ଦାଖଲର ଶେଷ ଦିନ । ତେଣୁ ଅଯୋଗ୍ୟଙ୍କୁ କାଟି ଯୋଗ୍ୟଙ୍କୁ ସାମିଲ୍ କରିବାର ବ୍ୟବସ୍ଥା ରାଜ୍ୟ ସରକାର କରନ୍ତୁ । ନହେଲେ ଆସନ୍ତା ୨୫ ତାରିଖ ଦିନ ବିଜେପି ତରଫରୁ ରାଜ୍ୟବ୍ୟାପୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦିଆଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button