ମାଡ଼ିଆସୁଛି ସାମୁଦ୍ରିକ ଝଡ଼ ’ବିପର୍ଯ୍ୟୟ’

ନୂଆଦିଲ୍ଲୀ : ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଅନ୍ୟ ଏକ ସାମୁଦ୍ରିକ ଝଡ଼ର ବିପଦ ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର କହିଛି ଗୁଜରାଟର ଦକ୍ଷିଣ ପୋରବନ୍ଦରରେ ଦକ୍ଷିଣ ପୂର୍ବ ଆରବ ସାଗର ଉପରେ ଲଘୁଚାପ ଅଞ୍ଚଳ ଉତ୍ତର–ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହା ଏକ ସାଇକ୍ଲୋନିକ ଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି। ଏହି ଝଡକୁ ‘ବିପର୍ଯ୍ୟୟ’ ଭାବେ ନାମିତ କରାଯାଇଛି। ଏହି ନାମ ବାଂଲାଦେଶ ଦେଇଛି। ପାଣିପାଗ ବିଭାଗ ଏକ ବୁଲେଟିନରେ କହିଛି ପୂର୍ବାହ୍ନ ସାଢ଼େ ୮ରେ ଲଘୁଚାପ ଅଞ୍ଚଳ ଦକ୍ଷିଣ–ପଶ୍ଚିମ ଗୋଆଠାରୁ ୯୫୦ କିଲୋମିଟର, ଦକ୍ଷିଣ–ଦକ୍ଷିଣ ପଶ୍ଚିମ ମୁମ୍ବାଇ ଠାରୁ ୧୧୦୦ କିଲୋମିଟର, ଦକ୍ଷିଣ ପୋରବନ୍ଦରଠାରୁ ୧,୧୯୦ କିଲୋମିଟର ଏବଂ ପାକିସ୍ଥାନର ଦକ୍ଷିଣ କରାଚିଠାରୁ ୧୪୯୦ କିଲୋମିଟର ଦୂରରେ ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଡିପ୍ରେଶନ ଉତ୍ତର ଦିଗକୁ ଯିବାର ସମ୍ଭାବନା ଅଧିକ। ପୂର୍ବ–କେନ୍ଦ୍ରୀୟ ଆରବ ସାଗର ଏବଂ ଦକ୍ଷିଣ–ପୂର୍ବ ଆରବ ସାଗର ଉପରେ ଏହା ଏକ ଝଡ଼ର ରୂପ ଧାରଣ କରିବାର ସମ୍ଭାବନା ଅଛି । ପାଣିପାଗ ବିଭାଗ କହିଛି ଗୁରୁବାର (ଜୁନ ୮) ସକାଳ ସୁଦ୍ଧା ଘଡ଼ରେ ପରିଣତ ହୋଇ ଶୁକ୍ରବାର (ଜୁନ ୯) ସନ୍ଧ୍ୟା ସୁଦ୍ଧା ଏକ ଭୟଙ୍କର ରୂପ ନେଇପାରେ। ଏହାର ସିଧାସଳଖ ପ୍ରଭାବ କେରଳ–କର୍ନାଟକ ଏବଂ ଲାକ୍ଷାଦ୍ୱୀପ–ମାଲଦ୍ୱୀପ ଉପକୂଳରେ ଦେଖାଯିବ। ଏହା ସହିତ ଜୁନ ୮ରୁ ୧୦ ପର୍ଯ୍ୟନ୍ତ କୋଙ୍କଣ–ଗୋଆ–ମହାରାଷ୍ଟ୍ର ଉପକୂଳରେ ସମୁଦ୍ରରେ ବହୁତ ଉଚ୍ଚ ଜୁଆର ସୃଷ୍ଟି ହେବାର ସମ୍ଭାବନା ଅଛି। ବିପଦକୁ ଦୃଷ୍ଟିରେ ରଖି ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button