ଟିଭିକେ ବିଜୟ ରାଲିରେ ଦଳାଚକଟା ଘଟଣା, ତଦନ୍ତ କମିଶନ ଗଠନ କଲେ ତାମିଲନାଡୁ ସରକାର

ନୂଆଦିଲ୍ଲୀ : କରୁରରେ ଏକ ରାଜନୈତିକ ରାଲିରେ ହୋଇଥିବା ଦୁଃଖଦ ଦଳାଚକଟା ଘଟଣାର ତଦନ୍ତ ପାଇଁ ତାମିଲନାଡୁ ସରକାର ଜଣିକିଆ ତଦନ୍ତ କମିଟ ଗଠନ କରିଛନ୍ତି। ପୂର୍ବତନ ହାଇକୋର୍ଟ ବିଚାରପତି ଅରୁଣା ଜଗଦୀସନଙ୍କ ଅଧ୍ୟକ୍ଷତାରେ ଏକ ସଦସ୍ୟ ବିଶିଷ୍ଟ ତଦନ୍ତ କମିଶନ ଗଠନ କରିଛନ୍ତି। ଗତକାଲି ଅଭିନେତାରୁ ରାଜନେତା ହୋଇଥିବା ଏବଂ ଦଳର ପ୍ରତିଷ୍ଠାତା ବିଜୟଙ୍କୁ ସ୍ୱାଗତ କରିବା ପାଇଁ ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ଦ୍ୱାରା ଆୟୋଜିତ ଏକ ବିଶାଳ ସମାବେଶ ସମୟରେ ଦଳାଚକଟା ଘଟଣା ଘଟିଥିଲା। ଯେଉଁଥିରେ 40 ଜଣଙ୍କର ମୃତ୍ୟୁ ହୋଇଛି। ଡାକ୍ତରୀ ଶିକ୍ଷା ନିର୍ଦ୍ଦେଶକଙ୍କ ଅନୁଯାୟୀ, ବର୍ତ୍ତମାନ 80 ଜଣ ବ୍ୟକ୍ତି ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସମସ୍ତ ମୃତ ପୀଡିତଙ୍କ ଚିହ୍ନଟ ପ୍ରକ୍ରିୟା ସମାପ୍ତ ହୋଇଛି ଏବଂ ସେମାନଙ୍କ ପାର୍ଥିବ ଶରୀର ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ନିକଟତମ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଆହତମାନଙ୍କୁ ପ୍ରତ୍ୟେକଙ୍କୁ 50,000 ଟଙ୍କା ପ୍ରଦାନ କରାଯିବ। ଆଜି ସକାଳେ ହସ୍ପିଟାଲ ପରିଦର୍ଶନ କରିଥିବା ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ପ୍ରତିଶ୍ରୁତି ଦେଇଛନ୍ତି ଯେ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନେବେ। ବିରୋଧୀ ଦଳ ନେତା ଏଡାପ୍ପାଡି କେ. ପଲାନିସ୍ୱାମୀ କରୁର ସରକାରୀ ହସ୍ପିଟାଲରେ ଆହତମାନଙ୍କୁ ଭେଟିଥିଲେ। ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି, ସେ କାର୍ଯ୍ୟକ୍ରମରେ ପର୍ଯ୍ୟାପ୍ତ ସୁରକ୍ଷା ଏବଂ ଭିଡ଼ ପରିଚାଳନା କରିବାରେ ବିଫଳ ହୋଇଥିବା ପାଇଁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।