ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା: ନ୍ୟାୟ ଦାବିରେ ଜଳେଶ୍ୱର ବନ୍ଦ

ଭୁବନେଶ୍ବର: ଜଳେଶ୍ୱରରେ ନାବାଳିକା ଅପହରଣ, ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆଜି ଆନ୍ଦୋଳନ ପ୍ରଦର୍ଶିତ ହୋଇଛି। ଜଘନ୍ୟ କାଣ୍ଡର ଦୃଢ଼ ପ୍ରତିବାଦ ଏବଂ ମୃତ ନାବାଳିକାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ସହରରେ ବନ୍ଦ ପାଳନ କରାଯାଉଛି। ଏହି ଘଟଣାରେ ବିଜୁ ଜନତା ଦଳ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଜଳେଶ୍ୱର ବନ୍ଦ ଡାକରା ଦିଆଯାଇଛି। ଅନ୍ୟପଟେ କଂଗ୍ରେସ ପକ୍ଷରୁ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟିଆ ବନ୍ଦ ପାଳନ କରାଯାଉଥିବା ବେଳେ ସିପିଆଇ(ଏମ୍) ମଧ୍ୟ ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛି। ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ଜଳେଶ୍ୱର ଥାନା ଅଞ୍ଚଳରୁ ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଏକ ଧାନବିଲରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତ ଜେନାକୁ ଧରି ପରିବାରବର୍ଗ ପୋଲିସକୁ ଜିମା ଦେଇଥିଲେ ମଧ୍ୟ ପୋଲିସ ବିନା ଉଚିତ ତଦନ୍ତରେ ତାଙ୍କୁ ଛାଡ଼ିଦେଇଥିବା ଅଭିଯୋଗ ହୋଇଛି, ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ଏହି ଘଟଣାର ପ୍ରତିବାଦ ପରେ ଅକ୍ଟୋବର ୨୨ ତାରିଖରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲା। ଏହାସହ ଅକ୍ଟୋବର ୨୩ରେ ନାମ୍ପୋ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବିତ କରାଯିବା ସହ ଜଳେଶ୍ୱର ଥାନା ଅଧିକାରୀଙ୍କୁ ମୁଖ୍ୟାଳୟକୁ ବଦଳି କରାଯାଇଛି। ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ମୃତ ନାବାଳିକାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ସମଗ୍ର ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯିବାକୁ ଦାବି କରାଯାଇଛି।



