ରାଜଭବନରେ ସର୍ବଧର୍ମ ବୈଠକରେ ରାଜ୍ୟପାଳଙ୍କ ଅପିଲ: ‘ଆତଙ୍କବାଦର କୌଣସି ଧର୍ମ ନାହିଁ, ହିଂସାର କୌଣସି ଶାସ୍ତ୍ର ନାହିଁ’

ଭୁବନେଶ୍ୱର: ଆତଙ୍କବାଦର କୌଣସି ଧର୍ମ ନାହିଁ, ହିଂସାର କୌଣସି ଶାସ୍ତ୍ର ନାହିଁ। ସେଥିପାଇଁ ଆରମ୍ଭ ହୋଇଛି ସଶସ୍ତ୍ର ବାହିନୀ ଅପରେସନ୍ ସିନ୍ଦୂର। ସୀମାପାର ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ୍ କରି ସଠିକ୍ ଆକ୍ରମଣ କରାଯାଇଛି। ଆମର ସାହସୀ ସୈନିକମାନେ ଦେଶର ସାର୍ବଭୌମତ୍ୱକୁ ରକ୍ଷା କରିବା ପାଇଁ ଆଗଧାଡି଼ରେ ଛିଡ଼ା ହୋଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଆମକୁ ସେମାନଙ୍କ ପଛରେ ଦୃଢ଼ ଭାବରେ ଛିଡ଼ା ହେବାକୁ ପଡ଼ିବ। ଏଭଳି ଆହ୍ୱାନ ଦେଇଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି। ରାଜଭବନର ନିଉ ଅଭିଷେକ ହଲ୍‌ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏବଂ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସର୍ବଧର୍ମ ବୈଠକ। ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ବିଭିନ୍ନ ଗୋଷ୍ଠୀର ପ୍ରତିନିଧି ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ରାଜ୍ୟପାଳ କହିଥିଲେ, ପହେଲଗାମ୍‌ରେ ସମ୍ପ୍ରତି ଘଟିଯାଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ଘଟଣା ଯୋଗୁଁ ୨୬ ନିରୀହ ଲୋକଙ୍କ ଜୀବନ ଯାଇଛି। ଏହା କେବଳ ନିରୀହ ନାଗରିକଙ୍କ ଉପରେ ଆକ୍ରମଣ ନୁହେଁ ବରଂ ଭାରତର ଧାରଣା, ଆମର ଏକତା, ଗଣତନ୍ତ୍ର ଓ ଶାନ୍ତି ଉପରେ ଆକ୍ରମଣ। ସମସ୍ତେ ପରଲୋକଗତ ଓ ଆହତଙ୍କ ପାଇଁ ପାର୍ଥନା କରିବା ସହ ଶିକ୍ଷାନୁଷ୍ଠାନଗୁଡ଼ିକ ଏକତା ପ୍ରଦର୍ଶନ କରିବା ନିମନ୍ତେ ଜାତୀୟ ପତାକା ଉଡ଼ାଇବାକୁ ପଡ଼ିବ। ବିଶ୍ୱାସ, ଭାଷା ଓ ରୀତିରେ ବିବିଧତା ଥିଲେ ମଧ୍ୟ ଆମର ରାଷ୍ଟ୍ର ଓ ଏହାର ମୂଲ୍ୟବୋଧକୁ ରକ୍ଷା କରିବା ପାଇଁ ଆମେ ଏକତାବଦ୍ଧ ବୋଲି ବାର୍ତ୍ତା ଦେବାକୁ ହେବ। ସାଧାରଣ ନାଗରିକ ଓ ସୈନିକ ସମେତ ପୀଢ଼ିତ ପରିବାରଙ୍କୁ ଗଭୀର ସମବେଦନା ଜଣାଇବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ସେ ଆହ୍ୱାନ ଜଣାଇଥିଲେ। ଭାରତ କେବେ ଆତଙ୍କବାଦ ଆଗରେ ନତ ହେବ ନାହିଁ। ଆମର ଶକ୍ତି, ଆମର ଏକତା ଓ ଆମକୁ ସୁରକ୍ଷା ଦେଉଥିବା ଲୋକଙ୍କ ପ୍ରତି ଆମର ଅଟଳ ସମର୍ଥନ ରହିଛି। ସମଗ୍ର ବିଶ୍ୱକୁ ଏହି ବାର୍ତ୍ତା ଦେବାକୁ ହେବ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଥିଲେ, ଆତଙ୍କବାଦ ମାନବତା ବିରୁଦ୍ଧରେ ଏକ ଯୁଦ୍ଧ। ଯେତେବେଳେ ଦେଶକୁ ଆବଶ୍ୟକତା ପଡ଼ିଥାଏ, ସେତେବେଳେ ସମସ୍ତ ଗୋଷ୍ଠୀ କିପରି ଏକାଠି ହୁଅନ୍ତି। ଅବଦୁଲ ହମିଦଙ୍କ ସାହସିକତା ଓ ବଳିଦାନର ଉଦାହରଣ ଅନନ୍ୟ। ଭାରତୀୟ ଭାବେ ଆମର ସର୍ବୋତ୍ତମ ପରିଚୟ ରହିଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ। ସମସ୍ତେ ଏକଜୁଟ ହୋଇ ଦେଶ ପାଇଁ ନିଜର କର୍ତ୍ତବ୍ୟ ନିଭାଇବାକୁ ପଡ଼ିବ ବୋଲି ପ୍ରକାଶ କରିଥିଲେ। ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ପ୍ରତିରକ୍ଷା ବିଭାଗରେ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button